ବାଲିପାଟଣା: ପିକନିକ୍ ପାର୍ଟି ପାଲଟିଲା ରଣକ୍ଷେତ୍ର। ରାଜଧାନୀ ଉପକଣ୍ଠ ଧଉଳିରେ ଦୁଇ ପିକନିକ୍ ପାର୍ଟି ମଧ୍ୟରେ ମାରପିଟ୍ ହୋଇଛି । ତେବେ ଏହି ମାରପିଟ୍ ରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । ସେପଟେ ଧଉଳି ଥାନାକୁ ଅଭିଯୋଗ କରିବାକୁ ଆସିଥିବା କିଛି ଯୁବକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଫଳରେ ଧଉଳି ଥାନା ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା ।
ପିକନିକ ପାର୍ଟିଙ୍କ ମାଡରେ ଜଣେ ଜଣ ଯୁବକଙ୍କ ମୁହଁ ଫାଟିଥିବା ସହ ଅନ୍ୟ ଜଣଙ୍କ ହାତ ମଧ୍ୟ ଭାଙ୍ଗିଛି । ଆହାତ ଯୁବକଙ୍କୁ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ଧଉଳି ପାଦଦେଶରେ କିଛି ପିକନିକ୍ ପାର୍ଟି ପିକନିକ କରୁଥିଲେ । ଏହି ସମୟରେ କୌଣସି କାରଣରୁ ସ୍ଥାନୀୟ ଅଂଚଳର ଏକ ପିକନିକ ପାର୍ଟି ସହ ଅନ୍ୟ ଏକ ପିକନିକ୍ ପାର୍ଟିଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ପରେ ମାରପିଟ୍ ହୋଇଥିଲା । ମାର ପିଟ୍ ରେ ଉଭୟ ପକ୍ଷର ୪ ଜଣ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଅଂଚଳର ପିକନିକ୍ ପାର୍ଟିର ୨ ଜଣ ଯୁବକ ଧଉଳି ଥାନାରେ ଏ ନେଇ ଅଭିଯୋଗ କରିବାକୁ ଆସିଥିବା ବେଳେ ଧଉଳି ପୋଲିସ ୨ ଯୁବକଙ୍କୁ ମାଡ ମାରିଥିବା ଆହାତ ଯୁବକ ଅଭିଯୋଗ କରିଛନ୍ତି ।
