ୱାସିଂଟନ : ଏବେ ଦେଶର ଅନେକ ବଡ଼ ବଡ଼ କମ୍ପାନୀ ରେ ଚାଲିଛି ଛଟେଇ । ଟ୍ୱିଟର, ମେଟା ଓ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀଙ୍କ ବ୍ୟତୀତ ନିକଟରେ ଇ-କମର୍ସ କମ୍ପାନୀ ଆମାଜନ ମଧ୍ୟ ବଡ଼ ଧରଣର ଛଟେଇ କରିଛନ୍ତି।

ତେବେ ଆରମ୍ଭ ହୋଇଥିବା ଏହି ଛଟେଇ ପକ୍ରିୟା ଆଗକୁ ମଧ୍ୟ ଜାରୀ ରହିବ । ଆମାଜନର ସିଇଓ ଏଣ୍ଡି ଜେସିଙ୍କ ବୟାନ ଏବେ ଏହି ଆଶଂକା ଶୃଷ୍ଟି କରିଛି । ଏଥିରେ କମ୍ପାନୀର ୨୦୨୩ ମସିହା ପର୍ଯ୍ୟନ୍ତ ଛଟେଇ ଜାରି ରଖିବ ବୋଲି କହିଛନ୍ତି। ଅର୍ଥାତ କମ୍ପାନୀରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ଚାକିରୀ ଛଟେଇ ଜାରି ରହିବ। ଜେସି କହିଛନ୍ତି ଯେ ଗତ ଦେଢବର୍ଷ ହେଲା ସିଇଓ ପଦବୀ ସମ୍ଭାଳୁଛନ୍ତି, ତେବେ ଏହି ସମୟରେ କର୍ମଚାରୀମାନଙ୍କୁ ଚାକିରୀରୁ ଛଟେଇ କରିବା ଲାଗି ନିଷ୍ପତି ନେବା ସବୁଠୁ କଷ୍ଟକର ବ୍ୟାପାର ବୋଲି କହିଛନ୍ତି। ଆଗକୁ ଆହୁରି ଛଟେଇ ହେବ କାରଣ ଆମାଜନର ଆନୁଆଲ ପ୍ଲାନିଂ ପ୍ରୋସେସ୍‌ରେ ଛଟେଇ ଯୋଜନା ଆଗାମୀ ବର୍ଷ ପର୍ଯ୍ୟନ୍ତ ରହିଥିବା ସେ କହିଛନ୍ତି ।

କମ୍ପାନୀର ଲିଡରମାନେ ନିଜନିଜ ଟିମ୍‌ ସହିତ କାମ କରୁଛନ୍ତି ଓ ନିଜନିଜ ୱାର୍କରଙ୍କ ସ୍ତର ସମୀକ୍ଷା କରୁଛନ୍ତି। ତେବେ ଏହି ଛଟେଇ ଯୋଗୁ ଅନ୍ୟମାନେ କେତେମାତ୍ରାରେ ପ୍ରଭାବିତ ହୋଇଛନ୍ତି ତାହା ଆମେ ଏପର୍ଯ୍ୟନ୍ତ ସମୀକ୍ଷା କରିନଥିବା ସେ କହିଛନ୍ତି। ଆଗାମୀ ବର୍ଷ ପ୍ରାରମ୍ଭରେ ଆମେ ଏ ବାବଦେ ସମୀକ୍ଷା କରି ପ୍ରଭାବିତ କର୍ମଚାରୀ ଓ ଅର୍ଗାନାଇଜେସନ ମଧ୍ୟରେ ସେୟାର କରିବୁ ବୋଲି ଜେସି କହିଛନ୍ତି।

ଜେସିଙ୍କ ଅନୁସାରେ ଗତ କିଛି ସମୟ ହେଲା କମ୍ପାନୀ ରେଭିନ୍ୟୁରେ ଭାରି ହ୍ରାସ ଦେଖାଯାଇଛି । ଏଣୁ କମ୍ପାନୀକୁ କଷ୍ଟ କଟିଂ କରିବାକୁ ପଡୁଥିବା ସେ କହିଛନ୍ତି। ତେବେ କେବଳ କର୍ମଚାରୀ ଛଟେଇ ନୁହେଁ ନୂଆ କର୍ମଚାରୀ ନିଯୁକ୍ତିରେ ମଧ୍ୟ କମ୍ପାନୀ ରୋକ ଲଗାଇଛନ୍ତି। ତେବେ ଏହା ପୂର୍ବରୁ କମ୍ପାନୀ କାଲିଫର୍ଣ୍ଣିଆରେ ରିଜିଓନାଲ ଅଥରିଟିଙ୍କୁ ୨୫୦ ଜଣ କର୍ମଚାରୀଙ୍କ ଛଟେଇ ନେଇ ସୂଚିତ କରିଥିଲେ। ଏଥିରେ ଡାଟା ସାଇଣ୍ଟିଷ୍ଟ, ସଫ୍ଟୱେର ଇଞ୍ଜିନିୟର ଓ ଅନ୍ୟ କର୍ପୋରେଟ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଆମାଜନ ପୁରା ବିଶ୍ୱରେ ୧୫ ଲକ୍ଷ ଲୋକଙ୍କୁ ରୋଜଗାର ଦେଉଛି। ଏଥିରେ ନ୍ୟୁୟର୍କ ଟାଇମ୍ସରେ ଚଳିତ ସପ୍ତାହରେ ପ୍ରକାଶିତ ରିପୋର୍ଟରେ ଆମାଜନ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ବୋଲି ସୂଚନା ଦିଆଯାଇଥିଲା। ଯଦି ଏହା ହୁଏ ତେବେ ସାରା ବିଶ୍ୱରେ ଏହା ସର୍ବ ବୃହତ୍ତମ ଛଟେଇ ହେବ ।