ଅଫତାବ ନିୟମିତ ଶ୍ରଦ୍ଧାଙ୍କୁ ମାଡ଼ ମାରୁଥିଲା: ରିପୋର୍ଟ

ମୁମ୍ବାଇ: ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଦ୍ୱାରା ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ୱାଲକରଙ୍କ ମୃତ୍ୟୁ ରହସ୍ୟ ଓ ମୃତ୍ୟୁ ଘଟଣା ଏବେ ବି ବେଶ୍ ଚର୍ଚ୍ଚାରେ ରହିଛି । ପୋଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଛି। ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେମିତି ଆଗକୁ ଯାଉଛି, ସେତିକି ରୋଚକ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି।

ତଦନ୍ତରୁ ଜଣାପଡ଼ିଛି ଯେ ଲିଭ ଇନରେ ଥିବା ବେଳେ ଅଫତାବ ନିୟମିତ ଶ୍ରଦ୍ଧାଙ୍କୁ ମାଡ଼ ମାରୁଥିଲା। ଏଥିରେ ଶ୍ରଦ୍ଧା ଏତେ ଗୁରୁତର ହେଉଥିଲେ ଯେ ତାଙ୍କୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁଥିଲା। ୨୦୨୦ରେ ଶ୍ରଦ୍ଧାଙ୍କ ଆହତ ସମସ୍ୟା ଅଧିକ ଜଟିଳ ହେବାରୁ ସେ ୩ ଦିନ କାଳ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୬ ବର୍ଷୀୟ ଶ୍ରଦ୍ଧା ୨୦୨୦ ଡିସେମ୍ବର ୩ରୁ ୬ ଯାଏ ମୁମ୍ବାଇର ବସାଇରେ ଥିବା ଗୋଟିଏ ହସ୍ପିଟାଲରେ ଅଫତାବଙ୍କ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଆଭ୍ୟନ୍ତରୀଣ ଆହିତ ସମସ୍ୟା ପାଇଁ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା।

ଶ୍ରଦ୍ଧାଙ୍କ ବନ୍ଧୁ ଶେୟାର କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କ ନାକ, ଗାଲ ଓ ବେକରେ ମାଡ଼ ମାରିବା ପରେ ସୃଷ୍ଟି ହେଉଥିବା ନାଲି ଦାଗ ରହିଛି। ଶ୍ରଦ୍ଧାଙ୍କ ବନ୍ଧୁ ରାହୁଲ ରାଏ କହିଛନ୍ତି, “ଏହି ଫଟୋ ୨୦୨୦ ମସିହାର। ଅଫତାବର ନିର୍ଯାତନାରେ ଅତିଷ୍ଠ ହୋଇ ଶ୍ରଦ୍ଧା ପୁଲିସ୍‌ରେ ଅଭିଯୋଗ କରିଥିଲେ।

ମୁଁ ନିଜେ ଶ୍ରଦ୍ଧାଙ୍କୁ ପୁଲିସ୍‌ ପାଖକୁ ନେଇଥିଲି। ଅଫତାବ ୨ରୁ ୩ଥର ଶ୍ରଦ୍ଧାଙ୍କୁ ମାଡ଼ ମାରିଥିଲା। ବେକରେ ଗଭୀର କ୍ଷତଚିହ୍ନ ଥିବାରୁ ସମ୍ଭବତଃ ଶ୍ରଦ୍ଧାଙ୍କୁ ସେ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିଲା। ପୁଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ଶ୍ରଦ୍ଧାଙ୍କୁ ସେଠାକାର ଅଧିକାରୀ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲେ।”

୨୦୨୦ରେ ଶ୍ରଦ୍ଧା ଯେତେବେଳେ ହସ୍ପିଟାଲରେ ଥିଲେ ସେତେବେଳେ ତାଙ୍କ ବେକରେ ଥିବା କ୍ଷତ ଚିହ୍ନ ଦେଖିବାକୁ ମିଳି ନଥିଲା। କିନ୍ତୁ ଜଣେ ଡାକ୍ତର କହିଛନ୍ତି ଶ୍ରଦ୍ଧା ବ୍ୟାକ ପେନ୍‌, ଟ୍ରମା ଓ ଆଭ୍ୟନ୍ତରୀଣ ଆହତ ସମସ୍ୟାରେ ପଡ଼ିଥିଲେ। ଘରେ ପଡ଼ିବା କିମ୍ବା ହିଂସା ଯୋଗୁ ଏପରି ଘଟଣା ସାଧାରଣତଃ ଘଟିଥାଏ।

ଶ୍ରଦ୍ଧା ସ୍ପଣ୍ଡାଲାୟସିସି ଓ ଟ୍ରମା ସମସ୍ୟାରେ ରହିଥିଲେ। ବାହାରକୁ ତାଙ୍କ କ୍ଷତ ଚିହ୍ନ ଦେଖାଯାଉ ନଥିଲା। କିନ୍ତୁ ବିଭିନ୍ନ ସ୍ଥାନରେ ମାଡ଼ ଯୋଗୁ ସେ ଆଭ୍ୟନ୍ତରୀଣ ଆହତ ସମସ୍ୟାରେ ପଡ଼ିଥିଲେ। ଚିକିତ୍ସା ପରେ ସେ ହସ୍ପିଟାଲରୁ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ନିଜର ଚିକିତ୍ସା ପାଇଁ ଆଉ ଆସି ନଥିଲେ ବୋଲି ସେତେବେଳେ ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶିବପ୍ରସାସ ସିନ୍ଦେ କହିଛନ୍ତି।

Related Posts