ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତିହାର ଜେଲ୍ ଭିତରେ ଦିଲ୍ଲୀ ମନ୍ତ୍ରୀଙ୍କୁ ଭିଆଇପି ଟ୍ରିଟମେଣ୍ଟ। ବିଳାସପୂର୍ଣ୍ଣ ଖଟରେ ଶୋଇ ବଡି ମସାଜ କରାଉଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ତିହାର ଜେଲ୍ ଭିତରୁ ସାମ୍ନାକୁ ଆସିଛି ଏଭଳି କିଛି ଭିଡିଓ, ଯାହା ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ଖଟ ଉପରେ ଶୋଇଥିବା ନଜର ଆସିଛନ୍ତି। ଏଥିସହ ତାଙ୍କ ହାତରେ କିଛି ଦସ୍ତାବିଜ ରହିଛି। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଗୋଡ ମସାଜ କରିଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ୍ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୋଡ ରଖି ମସାଜର ମଜା ନେଉଛନ୍ତି। ଏହି ଭିଡିଓକୁ ନେଇ ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।
ଏହି ଭିଡିଓକୁ ନେଇ ବିଜେପି ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍କୁ ପୂରା ଭିଆଇପି ସୁବିଧା ଦିଆଯାଉଥିବା ସେ କହିଛନ୍ତି।
#WATCH | CCTV video emerges of jailed Delhi minister Satyendar Jain getting a massage inside Tihar jail. pic.twitter.com/VMi8175Gag
— ANI (@ANI) November 19, 2022
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ନିଜ ଅଭିଯୋଗ ଦାଖଲ କରିଥିଲା। ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍ରେ ସ୍ପେଶାଲ ଭିଆଇପି ଟ୍ରିଟ୍ମେଣ୍ଟ ଦିଆଯାଉଥିବା ଇଡି ନିଜ ଅଭିଯୋଗରେ କହିଥିଲା। ସତ୍ୟେନ୍ଦ୍ର ଜୈନଙ୍କ ସହ ସମ୍ବନ୍ଧିତ ସମସ୍ତ ତଥ୍ୟ ଗୃହମନ୍ତ୍ରାଳୟକୁ ମଧ୍ୟ ପଠାଇଥିଲା ଇଡି। ଏହାପରେ ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କ ଚିଫ୍ ସେକ୍ରେଟାରୀଙ୍କୁ ଏହି ମାମଲାରେ ରିପୋର୍ଟ ମାଗିଥିଲେ। ରିପୋର୍ଟ ମିଳିବା ପରେ ତିହାର ଜେଲ୍ର ନମ୍ବର-୭ ସୁପରିଟେଣ୍ଡେଣ୍ଟ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଥିଲା।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ତିହାର ଜେଲ ରେ ଅଛନ୍ତି।
