ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନସିପାଲ କର୍ରପୋରେସନ (ଏମସିଡି) ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ଆମ ଆଦମୀ ପାର୍ଟିର ପ୍ରଚାର ସେତିକି ଜମିବାରେ ଲାଗିଛି । ତେବେ ଏବେ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଛି । ପରିସ୍ଥିତି ଏବେ ଏପରି ହୋଇଛି ଯେ ନିର୍ବାଚନ ପ୍ରଚାରରେ ଦୁଇ ପାର୍ଟି ମୁହାଁ ମୁହିଁ ହେଲେ ଉତ୍ତେଜକ ପରିସ୍ଥିତି ଉପୁଜୁଛି। ଏହିକ୍ରମରେ ମୟୁରବିହାର ଫେସ୍-୨ରେ ବିଜେପି ପ୍ରାର୍ଥୀ ବିପିନ ବିହାରୀ ସିଂହଙ୍କ ପୁଅକୁ ଏକ ଟିଭି ଡିବେଟ୍ରେ ଆପ୍ କାର୍ଯ୍ୟକର୍ତ୍ତାମାନେ ନିସ୍ତୁକ ମାଡ ମାରିଛନ୍ତି। ଇଷ୍ଟ ଏମସିଡି ମେୟର ବିପିନ ବିହାରି ସିଂହ ପୁଅକୁ ରକ୍ଷା କରିବାକୁ ଆସିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ମାଡ ମରାଯାଇଛି। ଏବେ ଏହି ମାମଲା ଥାନାରେ ପହଞ୍ଚିଛି।
ବିପିନ ବିହାରି ସିଂହଙ୍କ ଅନୁସାରେ ଟିଭି ଡିବେଟରେ ତାଙ୍କ ପୁଅ ଥିଲା। ସେଠାରେ ଆପ୍ ପ୍ରାର୍ଥୀ ଦେବେନ୍ଦ୍ର କୁମାରଙ୍କ ସମର୍ଥକମାନେ ତାଙ୍କୁ ମାରପିଟ କରିଥିଲେ। ତାକୁ ବିଧା ଓ ଗୋଇଠା ମରା ଯାଉଥିଲା। ଏଥିରେ ପୁଅକୁ ସେମାନଙ୍କ ଭିତରୁ ବାହାର କରିବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଆପ ସମର୍ଥକମାନେ ନିସ୍ତୁକ ମାରପିଟ କରିଥିବା ସିଂହ ଅଭିଯୋଗ କରିଛନ୍ତି। ମାରପିଟ ସୂଚନା ପାଇ ମୟୁରବିହାର ଜିଲ୍ଲା ବିଜେପି ଅଧ୍ୟକ୍ଷ ବିନୋଦ କୁମାର ବଛିତି ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ଏକ ନିନ୍ଦନୀୟ କଥା ଓ ଆପ ସମର୍ଥକ ମାନେ ସାହାସ ଥିଲେ ଆଲୋଚନା କୁ ଆସନ୍ତୁ ଏବଂ ଏପରି କାଣ୍ଡ ନ କରନ୍ତୁ ବୋଲି ବଛିତ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ମୟୁରବିହାର ଫେସ୍-୨ଆଖପାଖର ସ୍ଥାନୀୟ ପ୍ରସଙ୍ଗକୁ ନେଇ ଟେଲିଭିଜନରେ ବିତର୍କ ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ବିତର୍କରେ ବିଜେପିର ବିପିନ ବିହାରି ସିଂହ ଓ ଆପର ଦେବେନ୍ଦ୍ର କୁମାର ଚୌଧୁରୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରେ ସେମାନଙ୍କ ସମର୍ଥକ ପରସ୍ପର ଉପରେ ବିଧା ଗୋଇଠା ମାଡ ଆରମ୍ଭ କରିଦେଇଥିଲେ। ଏହି ଘଟଣାରେ ବିଜେପି ପ୍ରାର୍ଥୀଙ୍କ ପୁଅ ଋତିକ ସିଂହଙ୍କୁ ମାଡ ମରାଯାଇଛି। ପରେ ଘଟଣାକୁ ନେଇ ଆପ ପ୍ରାର୍ଥୀ ଦେବେନ୍ଦ୍ର ଚୌଧୁରୀ, ବିପିନ ବିହାରି ସିଂହ ଓ ଋତିକ ସିଂହଙ୍କ ସମେତ କିଛି ଲୋକଙ୍କୁ ପୋଲିସ ଏମଏଲସି ପରୀକ୍ଷା ପାଇଁ ଲାଲାବାହାଦୂର ଶାସ୍ତ୍ରୀ ହସ୍ପିଟାଲକୁ ନେଇ ଯାଇଛି।
ଏହା ପୂର୍ବରୁ ଦିଲ୍ଲୀ ରୋହିଣୀରେ ବିଜେପିର କେତେକ ନେତା ଆପରେ ସାମିଲ ହୋଇଥିଲେ। ବିଜେପିର ପୂର୍ବତନ ନେତା ଦଳରେ ସାମିଲ ହୋଇଥିବା ଆପ ଦାବି କରିଛି। କାରଣ ତାଙ୍କର କଠୋର ପରିଶ୍ରମକୁ ବିଜେପି ସ୍ୱୀକୃତି ଦେଇ ନଥିବାରୁ ଅସନ୍ତୁଷ୍ଟ ନେତା ଆପକୁ ଚାଲିଆସିଥିବା କାର୍ଯ୍ୟକର୍ତ୍ତା କହିଛନ୍ତି।





