ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଣିଟାଙ୍କିରେ ଲାଗିଥିବା ଟ୍ୟାପ୍‌ରୁ ଜଣେ ଦଳିତ ମହିଳା ପାଣି ପିଇବା ଅଭିଯୋଗ ହେବା ପରେ କର୍ଣ୍ଣାଟକର ଏକ ଗାଁର ତଥାକଥିତ ଉଚ୍ଚବର୍ଣ୍ଣର ଲୋକେ ପାଣିକୁ ନିଷ୍କାସନ କରି ଉକ୍ତ ଟାଙ୍କିକୁ ଗୋମୂତ୍ରରେ ପବିତ୍ର ବା ଶୋଧନ କରିଛନ୍ତି।

ସୂଚନା ଅନୁସାରେ, ଗତ ନଭେମ୍ବର ୧୮ ତାରିଖରେ କର୍ଣ୍ଣାଟକର ଚମରାଜନଗର ଜିଲ୍ଲା ଅନ୍ତର୍ଗତ ହେଗ୍ଗୋତାରା ଗାଁରେ ଅନୁସୂଚିତ ଜାତି ବର୍ଗର ଜଣେ ମହିଳା ବାହାଘର ଭୋଜିରେ ଯୋଗ ଦେବାକୁ ପହଞ୍ଚିଥିଲେ। ତେବେ ମହିଳାଙ୍କୁ ଶୋଷ ହେବାରୁ ସେ ଏକ ଟ୍ୟାପ୍‌ରୁ ପାଣି ପିଇଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ସମାଜର ଉଚ୍ଚଜାତି ବଡ଼ପଣ୍ଡା ବୋଲାଉଥିବା ଲୋକେ। ଏହାପରେ ସମସ୍ତେ ମିଶି ପୂରା ଟାଙ୍କିର ପାଣି ଢାଳି ଦେଇ ଗୋମୂତ୍ରରେ ଟାଙ୍କିକୁ ଶୁଦ୍ଧ କରିଥିଲେ।

ଏନେଇ ତହସିଲଦାର ଇଆଇ ବାସବରାଜ ସୂଚନା ଦେଇ କହିଛନ୍ତି ଯେ, ‘ପାଣି ଟାଙ୍କି ସଫା କରାଯାଇଛି ସତ ହେଲେ ଗୋମୂତ୍ରରେ ସଫା ହୋଇଛି ନାଁ ଖବର ନାହିଁ। ମହିଳା ଜଣଙ୍କ ଟାଙ୍କିରୁ ପାଣି ପିଇଥିବା କେହି ଦେଖି ନାହାନ୍ତି କି ଏପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ମହିଳାଙ୍କ ପରିଚୟ ମିଳିବା ପରେ ଆମେ ଏନେଇ ଏକ ଭେଦଭାବ ଅଭିଯୋଗରେ ମାମଲା ରୁଜୁ କରିବୁ।’

ତହସିଲଦାର ଆହୁରି ମଧ୍ୟ କହିଛନ୍ତି ଯେ ଗାଁରେ ଏକାଧିକ ପାଣି ଟ୍ୟାପ୍ ରହିଛି। ସମସ୍ତେ ସେଠାରୁ ପାଣି ପିଇପାରିବେ ବୋଲି ଲେଖା ବି ହୋଇଛି। ଏନେଇ ତହସିଲଦାର ଏକ ବିସ୍ତୃତ ରିପୋର୍ଟ କରିବେ। ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।