ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆମ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଜେଲ୍ ଭିତରୁ ମସାଜ ଭିଡିଓ ଲିକ୍ ହେବା ଘଟଣାରେ ଆଉ ଏକ ଖୁଲାସା ହୋଇଛି। ଜୈନ୍ଙ୍କୁ ଜେଲ୍ ଭିତରେ ଭିଆଇପି ସୁବିଧା ମିଳିବା ସହ ଚାଲିଥିଲା ଫୁଟ୍ ଆଉ ବଡି ମସାଜ। ଆପ୍ ମନ୍ତ୍ରୀଙ୍କୁ ଯେଉଁ ବ୍ୟକ୍ତି ମସାଜ କରୁଥିଲେ ସେ ଜଣେ ଫିଜିଓଥେରାପିଷ୍ଟ ବୋଲି କୁହାଯଉଥିଲା। କିନ୍ତୁ ସେ ଫିଜିଓଥେରାପିଷ୍ଟ ନୁହନ୍ତି ଜଣେ ଦୁଷ୍କର୍ମ ଅଭିଯୁକ୍ତ ବୋଲି ସୂଚନା ମିଳିଛି।
ଉକ୍ତ ଦୁଷ୍କର୍ମ ଅଭିଯୁକ୍ତର ନାମ ରିଙ୍କୁ। ପୋକ୍ସୋ ଆକ୍ଟ ଅଧିନରେ ଜେଲ୍ରେ ସଜା କାଟୁଥିବା ଅଭିଯୁକ୍ତ ରିଙ୍କୁଙ୍କ ଠାରୁ ମସାଜ କରାଉଥିଲେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ରିଙ୍କୁକୁ ଗତବର୍ଷ ପୁଲିସ ଗିରଫ କରିଥିଲା। ସେପଟେ ଏହି ଖୁଲାସା ହେବା ପରେ ବିଜେପି ନେତାମାନେ ପୁଣିଥରେ ଆପ୍କୁ ଟାର୍ଗେଟ୍ କରିଛନ୍ତି।
ଅନ୍ୟପକ୍ଷରେ ସତ୍ୟେନ୍ଦ୍ର ଜୈନ୍ଙ୍କ ଏହି ମସାଜ ଭିଡିଓ ଲିକ୍ ହେବା ପରେ ସଫେଇ ରଖିଥିଲା ଆପ୍। ଆପ ପକ୍ଷରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସତ୍ୟେନ୍ଦ୍ର ଜୈନ୍ଙ୍କ ମେରୁଦଣ୍ଡ ସମସ୍ୟା ରହିଛି। ତାଙ୍କର ଦୁଇଥର ଅପରେସନ୍ ମଧ୍ୟ ହୋଇଛି। ଏଣୁ ତାଙ୍କୁ ଡାକ୍ତର ଫିଜିଓଥେରାପି ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଫିଜିଓଥେରାପି ଦିଆଯାଉଥିବା ମନୀଷ କହିଥିଲେ।
ଏଥିସହ ଭିଡିଓ ଲିକ୍ ସମ୍ପର୍କରେ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ଆମ୍ ଆଦମୀ ପାର୍ଟି ରାଉସ୍ ଆଭେନ୍ୟୁ କୋର୍ଟରେ ଇଡିର ଅଭିଯୋଗ କରିଥିଲା। ଆଜି କୋର୍ଟଙ୍କ ନୋଟିସ ପରେ ଇଡି ଜବାବ ନିଜ ଜବାବ ରଖିବ।
ଉଲ୍ଲେଖଯୋଗ୍ୟ ଯେ, ମନି ଲଣ୍ଡରିଂ ମାମଲାରେ ଚଳିତ ବର୍ଷ ମେ ମାସରେ ମନ୍ତ୍ରୀ ଜୈନ୍ଙ୍କୁ ଗିରଫ କରାଯାଇଥିଲା। ଜେଲ୍ ଭିତରେ ଜୈନ୍ଙ୍କୁ ଭିଆଇପି ସୁବିଧା ମିଳିଛୁ । ପ୍ରତିଦିନ ସେ ଘର ଖାଦ୍ୟ ଖାଉଛନ୍ତି। ପ୍ରତିଦିନ ତାଙ୍କ ସ୍ତ୍ରୀ ତାଙ୍କୁ ଭେଟିବାକୁ ଆସୁଛନ୍ତି ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା। ଏହାପରେ ତିହାର ଜେଲ୍ ଭିତରେ ଜୈନ୍ଙ୍କ ବିଳାସପୂର୍ଣ୍ଣ ସିସିଟିଭି ଫୁଟେଜକୁ ଇଡି କୋର୍ଟକୁ ହସ୍ତାନ୍ତର କରିଛି। ଅନ୍ୟପଟେ ଜେଲ୍ରେ ଥିବା ମନ୍ତ୍ରୀଙ୍କୁ ‘ଭିଆଇପି’ ଚର୍ଚ୍ଚା ଯୋଗାଇ ଦେବା ଅଭିଯୋଗରେ ତିହାର ଜେଲ୍ର ସୁପରିଟେଣ୍ଡେଣ୍ଟ୍ଙ୍କୁ ନିଲମ୍ବନ କରିବାର କିଛି ଦିନ ପରେ ‘ବିଜେପି’ ନେତାମାନେ ଏହି ଭିଡିଓ ସେୟାର୍ କରିଛନ୍ତି।





