ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଆଜି ଏକ ଶବଯାତ୍ରାରେ ନିଆରା ପରମ୍ପରା ଦେଖିବାକୁ ମିଳିଛି। ପଞ୍ଚରା ଗାଁର ମାଙ୍ଗରୀ ସୁରିନ ନାମକ ଜଣେ ବୃଦ୍ଧା ୧୧୫ ବର୍ଷ ବୟସରେ ଗତକାଲି ରାତିରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ପରିବାର ଓ ବନ୍ଧୁବାନ୍ଧବ ଦୁଃଖ କରିଥିଲେ ମଧ୍ୟ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ତାଙ୍କ ସମ୍ମାନରେ ଏହି ନିଆରା ଶେଷଯାତ୍ରା ଆୟୋଜନ କରିଥିଲେ।ସେମାନେ ତାଙ୍କ ଶବଯାତ୍ରାରେ ଭିନ୍ନ ଢଙ୍ଗରେ ଗାଡ଼ିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।
ତେବେ ବାର୍ଦ୍ଧକ୍ୟ କାରଣରୁ ଶ୍ରୀମତୀ ସୁରିନ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ। ତେବେ ପଞ୍ଚରା ବସ୍ତିପଡ଼ାରେ ଶବକୁ ଉଚିତ ସମ୍ମାନ ମିଳିଛି। ସାଧାରଣତଃ ଜଣେ ବ୍ୟକ୍ତିଙ୍କ ପରଲୋକରେ ପରିବାର ଲୋକେ ଓ ପାଖପଡୋଶୀ ଶୋକାକୁଳରେ ବୁଡ଼ିଯାଉଥିବା ବେଳେ ପଞ୍ଚରା ବସ୍ତିପଡ଼ାରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ଥାନୀୟ ଲୋକେ ମନ ଦୁଃଖ ନ କରି ମୃତଦେହକୁ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଉତ୍ସାହର ସହିତ ଏକ ଶେଷଯାତ୍ରା ବାହାର କରିଛନ୍ତି।
