ମହଙ୍ଗା ପଡ଼ିଲା ପୁରୀ ଏସ୍‌ପିଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗିବା, ଯାଜପୁରରୁ ଅଭିଯୁକ୍ତକୁ ବନ୍ଧିଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଚାକିରି ଦେବା ନାଁ ରେ ଟଙ୍କା ଆଦାୟ କରୁଥିଲା ଯୁବକ। ଏନେଇ ଅଭିଯୋଗ ହେବା ପରେ ପୁରୀ ପୁଲିସ୍‌ ଅଭିଯୁକ୍ତକୁ ଯାଜପୁର ଜିଲ୍ଲାରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ସୋମବାର ରାତିରେ ସାଇବର ହେଲ୍‌ପଲାଇନ୍‌କୁ ଗୋଟିଏ ଟେଲିଫୋନ୍‌ କଲ ଆସିଥିଲା।ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ, ପୁରୀ ଏସ୍‌ପିଙ୍କ ନାଁରେ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ଗୋଟିଏ ଫେକ୍‌ ଆକାଉଣ୍ଟ ଖୋଲା ଯାଇଛି। ଆଉ ଫେସ୍‌ବୁକ୍‌ ପ୍ରୋଫାଇଲ୍ ଫୋଟୋରେ ଏସ୍‌ପି ଡାକ୍ତର କନୱର ବିଶାଳ ସିଂଙ୍କ ଫଟୋ ରଖିଛି। ପୁଲିସ୍‌ ବିଭାଗରେ ଚାକିରି ଦେବା ପାଇଁ ଟଙ୍କା ମାଗୁଥିବା ସାଇବର ହେଲ୍‌ପଲାଇନ୍‌କୁ ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ। ଏହା ପରେ ତତ୍ପର ହୋଇଥିଲା ପୁରୀ ପୁଲିସ୍‌।

ଅଭିଯୋଗକୁ ଭିତ୍ତିକରି ପୁରୀ ଟାଉନଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ୍‌ ପ୍ରଥମେ ଉକ୍ତ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟକୁ ତଲାସି କରିଥିଲା। ଏହା ପରେ ଅଭିଯୁକ୍ତର ସୁରାଗ ପାଇଥିଲା। ପୁରୀ ପୁଲିସର ଏକ ଟିମ୍‌ ଯାଜପୁର ଜିଲ୍ଲା କୋରାଇ ଥାନାର ସହଯୋଗରେ ତହରପୁରୁ ଗାଁରେ ଚଢ଼ଉ କରି ମନୋଜ କୁମାର ସାହୁ ନାମକ ଯୁବକକୁ ଗିରଫ କରିଥିଲା। ତା’ ପାଖରୁ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ଜବତ କରିଥିଲା ପୁଲିସ୍‌। ଜେରା ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।

Related Posts