ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ହକି ତାରକା ବୀରେନ୍ଦ୍ର ଲାକ୍ରା। ଏନେଇ ଇନ୍‌ଫୋସିଟି ଥାନାରେ ଏତଲା ହୋଇଛି କି ନାହିଁ, ସେ ନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଆଜି ଭର୍ଚୁଆଲ୍‌ରେ ଉପସ୍ଥିତ ରହିଥିଲେ ଇନଫୋସିଟି ଥାନା ଅଧିକାରୀ। ତାଙ୍କ ପାଖରେ ଏଫଆଇଆର ପହଁଚି ନଥିବା ସେ କୋର୍ଟଙ୍କୁ କହିଥିଲେ। ଏହା ପରେ ଏତଲା ହୋଇଛି କି ନାହିଁ ତଦନ୍ତ କରି ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ତାରିଖରେ ହେବ ବୋଲି ସୂଚନା ମିଳିଛି।

ଆବେଦନକାରୀ ତଥା ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନ ଟପ୍ପୋ କହିଛନ୍ତି ଯେ, ପୁଅର ହତ୍ୟା ଘଟଣାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଥିଲି। ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବନ୍ଧନ ଟପ୍ପୋ ଅଭିଯୋଗ କରିଥିଲେ।

ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆନନ୍ଦ ଟପ୍ପୋଙ୍କ ବାପା। ଆବେଦନରେ ସେ ଦର୍ଶାଇଛନ୍ତି ଯେ, ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟାରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍‌ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ଫୋନ୍‌ କରି ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ମୃତ୍ୟୁର ୧୦ ଦିନ ତଳେ ଆନନ୍ଦ ବିବାହ କରିଥିଲେ।