ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ; ଚାଷୀ ଓ ଅର୍ଚ୍ଚନା ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀଙ୍କ ରଣନୀତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏନେଇ ବିରୋଧୀ ବିଜେପି ଓ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବେ, ରାଜ୍ୟର କେଉଁ ପ୍ରସଙ୍ଗ, ସମସ୍ୟାକୁ ଗୃହରେ ଉଠାଇବ ସେନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଚାଷୀ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବଂ ଅର୍ଚ୍ଚନା‌ ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡିକୁ ଘେରିବ ବୋଲି ନିଷ୍ପତ୍ତି ହୋଇଛି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଏହି ଅଧିବେଶନରେ ଆମେ ରାଜ୍ୟରେ କୃଷି ଏବଂ କୃଷକ ଯନ୍ତ୍ରଣା, ଅର୍ଚ୍ଚନା ନାଗ ଓ ଆର୍ଥିକ ଅପରାଧ, ଦାଦନ ଶ୍ରମିକ ସମସ୍ୟା, ଠିକା ନିଯୁକ୍ତି କର୍ମଚାରୀଙ୍କ ଦୁଃଖ, ମନରେଗା ଦୁର୍ନୀତି, ଅସୁରକ୍ଷିତ ମହିଳା ଓ ଶିଶୁ, ବ୍ୟାପକ ପିସି କାରବାର କାରଣରୁ ବିକାଶ ବାଧାପ୍ରାପ୍ତ, ବିଫଳ ଯୁବନୀତି, ଲଘୁ ଖଣିଜରେ ମହାଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପୁଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଅନାସ୍ଥା, କ୍ରମବର୍ଦ୍ଧିଷ୍ଣୁ ଶିଶୁ ଚୋରୀ, କେବଳ ଘୋଷଣା ସୀମିତ ଜଳସେଚନ ବ୍ୟବସ୍ଥା, ମଦ ଓ ନିଶାର ବହୁଳ ପ୍ରସାର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବୁ ବୋଲି ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ବିଜେପି ବିଧାୟକ ଭାସ୍କର ମଢ଼େଇ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, କେ.ନାରାୟଣ ରାଓ, କୁସୁମ ଟେଟେ, ସନାତନ ବିଜୁଳି, ଜୟନ୍ତ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରେ ନୂତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପିଏସି କମିଟି ଅଧ୍ୟକ୍ଷ ମୋହନ ମାଝୀ ଏବଂ ନବନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକରେ ଉଭୟ ବିଜେଡି ଓ ବିଜେପିକୁ ଅକଳରେ ପକାଇବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଛନ୍ତି ଯେ, ଅର୍ଚ୍ଚନା ନାଗ ପ୍ରସଙ୍ଗ ଭଳି ଲଜ୍ଜାଜନକ ଘଟଣାକୁ ସମସ୍ତେ ମିଳିମିଶି ଚପାଇଦେବାକୁ ଉଦ୍ୟମ କରୁଛନ୍ତି। ବିଧାନସଭାରେ ଆମେ ଏ ପ୍ରସଙ୍ଗ ଉଠାଇବୁ ବୋଲି ସେ କହିଛନ୍ତି।

ସେହିପରି ଚାଷୀଙ୍କ ପଞ୍ଜୀକରଣ ଓ ଟୋକନ୍ ମିଳିବାରେ ସମସ୍ୟା ହେଉଥିବାରୁ ଅମଳ ଧାନ ବିକିପାରୁନି। ଉପନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ଦୁର୍ନୀତି ଆଦି ପ୍ରସଙ୍ଗ ଆମେ ଗୃହରେ ଉଠାଇବୁ। ସୁନ୍ଦରଗଡ଼ ଜିଲ୍ଲାରେ ଏକ ଘରୋଇ କମ୍ପାନି ଖଣି ବିସ୍ଥାପିତଙ୍କୁ ଠିକ୍ ଭାବେ ପ୍ରାପ୍ୟ ପ୍ରଦାନ କରୁନଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା, ଏହି ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଯିବାକୁ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ଦଳର ୯ରୁ ୭ଜଣ ବିଧାୟକ ଉପସ୍ଥିତ ଥିଲେ। ବିଧାୟକ ରମେଶ ଜେନା ଗୁଜୁରାଟରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଜଟଣୀ ବିଧାୟକ ସୁର ରାଉତରାୟ ଭୁବନେଶ୍ବର ବାହାରେ ଥିବାରୁ ଏହି ବୈଠକରେ ଯୋଗଦେଇପାରିନଥିଲେ।

Related Posts