ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ଆଜି ପୁଣି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ଗୃହରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି । ଗତକାଲି ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଏନେଇ ଆଲୋଚନା କଲେନାହିଁ । ଫଳରେ ଆଜି ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି। ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ କରାଯାଇଛି ।
ଅନ୍ୟପଟେ ବିଧାନସଭା ସମ୍ମୁଖ ଲୋୟର ପିଏମଜି ରେ ଧାରଣା ଜାରି ରଖିଥିବାରୁ ସାରା ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହୋଇଛି । କେଉଁଠି ଦୁଇଜଣ ଶିକ୍ଷକରେ ୫ଟି ଶ୍ରେଣୀର ପାଠପଢ଼ା ହୋଇଛି ତ ଆଉ କେଉଁଠି ପିଲା ଶ୍ରେଣୀକୁ ଆସିନାହାନ୍ତି । ଶିକ୍ଷକମାନଙ୍କ ଦୁଇ ଦିନ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଯେମିତି ବିପର୍ଯ୍ୟସ୍ତ ଆଡ଼କୁ ଅଗ୍ରସର ହୋଇଛି । ସ୍କୁଲକୁ ଶିକ୍ଷକ ଆସୁ ନଥିବାରୁ ପାଠପଢ଼ା ଚୁଲିକୁ ଗଲାଣି । ଶ୍ରେଣୀ ସ୍ବାଭାବିକ ହୋଇପାରୁ ନଥିବାରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରମୁହାଁ । ଏଥି ପ୍ରତି ନା ଶିକ୍ଷକଙ୍କର ଚିନ୍ତା ଅଛି ନା ସରକାରଙ୍କର ।
ସେପଟେ, ପ୍ରାୟ ଏକ ଘଣ୍ଟା ଧରି ଶିକ୍ଷକମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା । ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ କରାଯାଉ । ପାନ୍ତରଅନ୍ତର ନିଷ୍ପତ୍ତି ଚଳିବ ନାହିଁ । ଏଭଳି କରାଯିବା ଦ୍ବାରା ଜୁନିଅର ଶିକ୍ଷକମାନେ ସିନିୟର୍ ଏବଂ ସିନିଅର୍ ଶିକ୍ଷକ ଜୁନିଅର୍ ହୋଇଯାଉଛନ୍ତି ।
ସେହିପରି ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଏବଂ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଅବଗତ କରାଯାଇଥିଲା । ନୂଆ କରି ବିଭାଗ ଦାୟିତ୍ବ ଗ୍ରହଣ କରିଥିବାରୁ ଦାବିଗୁଡ଼ିକ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ସଚିବ ପ୍ରତିଶ୍ରୁତି ଦେଇଥିବା ମହାସଂଘ ପକ୍ଷରୁ କୁହାଯାଇଛି ।
