ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୧୪ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ମାରି ଦିଆଯିବା ମାମଲାର ରାୟ ଆସିଛି। ମଙ୍ଗଳବାର ଏହି ଘଟଣାରେ ୨ ଜଣ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ମିଳିଛି। ଜଗତସିଂହପୁର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଫାଶି ଦଣ୍ଡାଦେଶ ପାଇଥିବା ଦୁଇ ଦୁଷ୍କର୍ମୀ ଓ ହତ୍ୟାକାରୀ ହେଉଛନ୍ତି ସେକ୍ ଆସିଫ୍ ଓ ସେକ୍ ଅକିଲ। ତେବେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ୨୦୧୪ ମସିହାରେ ଏକ ୮ ବର୍ଷର ଝିଅକୁ ସେକ୍ ଆସିଫ୍ ଓ ସେକ୍‌ ଅକିଲ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ଝିଅଟି ଚକୋଲେଟ୍ ନେଇ ଫେରୁଥିବା ବେଳେ ସେମାନେ ତାକୁ ଉଠାଇ ନେଇଥିଲେ। ତା’ପରେ ଦୁଷ୍କର୍ମ କରି ମାରି ଦେଇଥିଲେ। ଏହି ଘଟଣାରେ ମୋଟ ୪ ଜଣଙ୍କ ନାଁରେ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଥିଲା। ଜଗତସିଂହପୁର ପକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଶୁଣାଣି ବେଳେ ମୋଟ ୨୭ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ସେକ୍ ଆସିଫ୍ ଓ ସେକ୍ ଅକିଲ ଦୋଷୀ ସାବ୍ୟସ୍ତ ହୋଇ ଫାଶି ଦଣ୍ଡାଦେଶ ପାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ କରିମ୍ ଓ ଆବିଦଙ୍କୁ କୋର୍ଟ ଖଲାସ କରିଛନ୍ତି।