ସତ୍ୟପାଠ ବ୍ୟୁରୋ :  କର୍ଣ୍ଣାଟକ ପରେ ଏବେ ଗୋଆ କଂଗ୍ରେସରେ ବି ଉପୁଜିଛି ସଂକଟ । ବୁଧବାର ଗୋଆ କଂଗ୍ରେସର ବିଧାୟକଙ୍କ ଏକ ସମୂହ ବିଜେପିରେ ସାମିଲ ହୋଇଯାଇଛନ୍ତି। ଗୋଆ ମଖ୍ୟମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ୧୦ ଜଣ ବିଧାୟକ ବିରୋଧୀ ଦଳ ନେତାଙ୍କ ସହ ବିଜେପିରେ ନିସର୍ତ୍ତ ଯୋଗଦାନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ନିଜର ନିର୍ବାଚନ କ୍ଷେତ୍ରର ବିକାଶ ନିମନ୍ତେ ସେମାନେ ସରକାରଙ୍କ ସହ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୋଆ ବିଧାନସଭାର ଉପବାଚସ୍ପତି ମାଇକେଲ ଲୋବୋଙ୍କ ଅନୁସାରେ କଂଗ୍ରେସର ୧୦ ଜଣ ବିଧାୟ ବିଜେପିରେ ଯୋଗଦେଇଛନ୍ତି। । ସେ କହିଛନ୍ତି ଯେ  ସମ୍ବିଧାନର ଅନୁସୂଚୀ ୧୦ ଅନୁସାରେ ବିଜେପିରେ ସେମାନଙ୍କର ବିଲୟ ହୋଇଛି।  ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ନେତୃତ୍ୱରେ ବିଧାୟକମାନେ ବିଧାନସଭା ବାଚସ୍ପତିଙ୍କୁ ଭେଟି କଂଗ୍ରେସ ସହ ସେମାନଙ୍କର ସମ୍ପର୍କ ତୁଟିଥିବା କହି ଏକ ପତ୍ର ଦେଇଥିଲେ। ଏହି ବିଧାୟକମାନଙ୍କର ଦଳ ବଦଳ ପରେ ବିଧାନସଭାରେ କଂଗ୍ରେସର ଆଉ ମାତ୍ର ୫ ଜଣ ବିଧାୟକ ବିରୋଧୀ ଦଳରେ ଅଛନ୍ତି।

ଯେଉଁ ବିଧାୟମାନେ ଦଳଛାଡିଛନ୍ତି ସେମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା କାବଲେକରଙ୍କ ସମେତ ଅତାନାସିଓ ମୋଁସେରାତେ, ଜେନିଫର ମୋଁସେରାତେ,ଫ୍ରାନ୍ସିସ୍ ସିଲଭେରା, ଫିଲିପ ନେରୀ ରଡ୍ରିଗସ୍, ସି.ଡିଆଜ୍, ୱିଲଫ୍ରେଡ ଡିସା,ନୀଲକାନ୍ତ ହଲାରଂକାର ଓ ଇସିଡୋର ଫର୍ଣ୍ଣାଣ୍ଡିଜ୍। ଏହି ବିଧାୟକଙ୍କ ଯୋଗଦାନ ପରେ ଗୋଆ ବିଧାନସଭାରେ ବିଜେପିର ଆସନ ସଂଖ୍ୟା ୨୭ରେ ପହଞ୍ଚିଛି। କଂଗ୍ରେସ ଏକ ବଡ ଦଳ ହୋଇଥିବା ବେଳେ ବିଧାୟକଙ୍କ ନିର୍ବାଚନମଣ୍ଡଳିରେ ବିକାଶ ହେଉନଥିବାରୁ ସେମାନେ ଦଳ ଛାଡିଥିବା କହିଛନ୍ତି।