ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ସକାଳୁ ଓଡିଶା ଉପକୂଳ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ବଙ୍ଗୋପସାଗର ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପର ତୀବ୍ରତା ୫.୧ ଥିବା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ପକ୍ଷରୁ ସୂଚନା ଦିଆଯାଇଛି ।

ଭୂମିକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ଦେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଲେଖିଛି ଯେ, ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଗଠିତ ହୋଇଛି।

ଅନ୍ୟପଟେ ଆଜି ସକାଳ ୯.୦୨ରେ ବାଂଲାଦେଶର ରାଜଧାନୀ ଢାକା, ଚଟଗ୍ରାମ ଓ ଅନ୍ୟ କେତେକ ପ୍ରାନ୍ତରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ, ଏଥିରେ କୌଣିସ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।