ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ। ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କୋର୍ଟକୁ ଅଣାଯାଇଛି।

ତେବେ ଏହି ସମୟରେ ସେ ଗଣମାଧ୍ୟମର ପ୍ରଶ୍ନ ଶୁଣି ଚିଡି ଯାଇଥିଲେ ଅର୍ଚ୍ଚନା। ସେ ଗଣମାଧ୍ୟମକୁ କହିଥିଲେ ଯେ, ଆପଣମାନେ ୱେଲ୍ ସ୍କ୍ରିପ୍ଟେଡ ମୁଭି ଚଳାଇଛନ୍ତି। ଗଣମାଧ୍ୟମ ନିରପେକ୍ଷ ରହୁନି ବୋଲି ‌ସେ ଅଭିଯୋଗ କରିଥିଲେ। ସେ ଆହୁରି ଚିତ୍କାର କରି କହିଥିଲେ ଯେ, କୁଆଡ଼େ ଗଲେ ସୋ-କଲ୍ଡ ଭିକ୍ଟିମ୍? ମୋତେ ଆରେଷ୍ଟ କଲେ, ମୋ ପରିବାରକୁ ନଜରବନ୍ଦୀ ରଖାଗଲା। ହେଲେ ଶ୍ରଦ୍ଧାଞ୍ଜଳି କୁଆଡେ ଗଲେ ବୋଲି ପ୍ରଶ୍ନ କଲେ ଅର୍ଚ୍ଚନା। ମୋତେ ଫସାଇ ଦିଆଯାଇଛି। କିଏ ମୋତେ ଫସାଇଛନ୍ତି, ତାହାର ତଦନ୍ତ କରୁ ଗଣମାଧ୍ୟମ ବୋଲି କହିଲେ ଅର୍ଚ୍ଚନା। ସେ ଆହୁରି କହିଛନ୍ତି ଯେ, ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ। ସମସ୍ତ ଘଟଣାର ନିରପେକ୍ଷ ଭାବେ ସିବିଆଇ ତଦନ୍ତ ହେଉ ବୋଲି ଅର୍ଚ୍ଚନା କହିଛନ୍ତି। ସେହିଭଳି ଅକ୍ଷୟ ପରିଜାଙ୍କଠାରୁ କିଛି ନେଇନି ବୋଲି ଗଣମାଧ୍ୟମକୁ କହିଲେ ଅର୍ଚ୍ଚନା।

ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ବ୍ୟବହୃତ ହୋଇଥିବା କଳା ଟଙ୍କାର ଉତ୍ସ ଇଡି ଖୋଜିବାରେ ଲାଗିଛି। ଏ ନେଇ ଇଡି ବର୍ତ୍ତମାନ ସୁଦ୍ଧା କିଛି ଲୋକଙ୍କୁ ଜେରା କରିସାରିଛି। ସିନେ-ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ପ୍ରଭାତରଂଜନ ପତି, ଶିବ ପ୍ରସାଦ ଦାସ, ଗଙ୍ଗାଧର ସାମଲ, ଚନ୍ଦନ ଓ ପ୍ରମୋଦ ସ୍ବାଇଁପ୍ରମୁଖଙ୍କୁ ‌ଏବେ ସୁଦ୍ଧା ଜେରା ସରିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡିଦେଲେ ବାକି ୮ ଜଣ କିଏ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।