ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଞ୍ଜିତ ବେହେରା। ରାଜଧାନୀର ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ସୁସଜ୍ଜିତ ଗୃହ ନିର୍ମାଣର ଆର୍କିଟେକ୍ଟ ହେଉଛନ୍ତି ରଞ୍ଜିତ ବେହେରା । ସେ ଆଜି ଇଡିରେ ହାଜର ହୋଇପାରନ୍ତି ବୋଲି ଖବର ମିଳିଥିଲା। ତାଙ୍କୁ ଇଡି ସମନ କରିଥିଲା। ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରିକୁ ନେଇ ରଞ୍ଜିତ ବେହେରାଙ୍କୁ ଇଡି ଜେରା କରିବ ବୋଲି ଜଣାଯାଇଛି।
ଅନ୍ୟପଟେ ଗତକାଲି ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ମଧ୍ୟ ପାଖାପାଖି ୧୩ ଘଣ୍ଟାକାଳ ଜେରା କରିଥିଲା ଇଡି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଇଡି ଆଜି ଅର୍ଚ୍ଚନା ନାଗଙ୍କୁ ପଚାରିପାରେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଳଇ ବି ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ଗତକାଲି ୭ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ। ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆବେଦନ କରିଥିଲା । ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଇଡି ଓକଲି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି। ଟଙ୍କା ଆସିବା ପରେ ହଠାତ୍ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।
ତେବେ ଟଙ୍କା ଆସିବାର ତିନିରୁ ଚାରି ଦିନ ଭିତରେ ଆକାଉଣ୍ଟକୁ ଡିଆକ୍ଟିଭେକ୍ଟ ହୋଇଛି। ତେବେ କ୍ୟାସ୍ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ଇଡି ସୁରାକ୍ ପାଇଛି। ତେଣୁ ଏହି ଅର୍ଥନୈତିକ କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଆଉ ନ୍ୟାୟାଳୟ ୧୫ ଦିନ ବଦଳରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।
