ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଥମେ ପରିବାରରେ ଝଡ଼ ଏବେ ସମାଜରେ ଥିବା ପ୍ରତିପତ୍ତି ନଷ୍ଟ ପାଇଁ ଉଦ୍ୟମ କରାଯାଉଛି । ଠକେଇ ଅଭିଯୋଗ ଆସିବା ପରେ କିଛି ଏଭଳି ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଉଲ୍ଲେଖଯୋଗ୍ୟ ଯେ, ବର୍ଷାଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି ଯେ, ୨୦୨୦ ପରଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୋ ନାଁରେ ଅନେକ ଅଭିଯୋଗ ଆଣି ଷଡ଼ଯନ୍ତ୍ର କରି ମତେ ଦାବି ଦେବା ପାଇଁ ପ୍ରୟାସ କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଯେତେ ବାଧା ବିଘ୍ନ ଆସିଲେ ବି ମୁଁ କେବେ ହାରି ନାହିଁ କି ହାରିବି ନାହିଁ । ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ ଏବଂ ତାହା ହିଁ ହେବ ବୋଲି ଦୃଢ଼ ବିଶ୍ୱାସ ଥିବା କହିଛନ୍ତି ବର୍ଷା ।

କୌଣସି ସତ୍ୟତା ନଥାଇ ଯେଭଳି ଖବର ପରିବେଷଣ ହେଉଛି ତାହା ଦୁର୍ଭାଗ୍ୟଜନକ ବୋଲି ବର୍ଷା କହିଛନ୍ତି । ତାଙ୍କ ନାଁରେ ଆସୁଥିବା ଅଭିଯୋଗ ତାଙ୍କୁ ମାନସିକ ଭାବେ କ୍ଷୁବ୍ଧ କରିଛି । ତେବେ ଯେଉଁମାନେ ଚକ୍ରାନ୍ତ କରି ତାଙ୍କ ବିରୋଧରେ ଘୃଣ୍ୟ ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୋଧରେ ଆଇନର ଦ୍ୱାରସ୍ଥ ହେବେ ବୋଲି ବର୍ଷା କହିଛନ୍ତି ।

ଆଗରୁ କହିଛି ଓ ଏବେ ବି କହୁଛି ମୁଁ ଜଣେ ସାଧାରଣ ମଣିଷ । ସ୍ୱଚ୍ଛ ମନ ଓ ନିର୍ମଳ ହୃଦୟ ନେଇ ଆପଣମାନଙ୍କ ସହଯୋଗରେ ସମାଜ ପାଇଁ କିଛି କରିବାକୁ ଚାହୁଁଛି । ଏପରି ଯେତେ ଝଡ଼ ଝଞ୍ଜା ଆସୁ ମୁଁ ଭାଙ୍ଗି ପଡ଼ିବି ନାହିଁ । ମୁଁ ଯେମିତି କାମ କରୁଥିଲି ସେମିତି କରିବି । ଏସବୁ ପାଇଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି ବୋଲି ବର୍ଷା ଲେଖିଛନ୍ତି ।