ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ୟପଟେ ଗତକାଲି କୋର୍ଟ ପରିସରରେ ହୋଇଥିବା ଲଙ୍କାକାଣ୍ଡ ଓ ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ ଆକ୍ସନ ମୋଡରେ ଥିବା ଜଣାପଡ଼ିଛି। ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଛି। ଏପର୍ଯ୍ୟନ୍ତ ମୋଟ ୧୭ ଜଣ ଆଇନଜୀବୀ ଗିରଫ ହୋଇସାରିଛନ୍ତି। ଏହସହିତ କୋର୍ଟ ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ଗିରଫ ଓ ଲାଇସେନ୍ସ ବାତିଲକୁ ବେଆଇନ କହିବା ସହ ନ୍ୟାୟିକ ଲଢେଇ ପାଇଁ ସମ୍ବଲପୁର ବାର ଆସୋସିଏସନ ପ୍ରସ୍ତୁତ ଥିବା ଜଣାଯାଇଛି।

ତେବେ କୋର୍ଟ ରୁମ ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିବା ଘଟଣା ସମ୍ବଲପୁର ଓକିଲଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ପ୍ରଥମେ ବାର କାଉନସିଲ ଅଫ ଇଣ୍ଡିଆ ସମ୍ବଲପୁର ବାରର ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ବାତିଲ କରିଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନ୍ସଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ଏଭଳି ଘଟଣା ଓଡିଶା ଇତିହାସରେ ପ୍ରଥମ। ତେବେ ଏହି ଘଟଣାର କିଛି ଘଣ୍ଟା ପରେ ପୁଲିସ ମଧ୍ୟ ଟାଉନ ଥାନାରେ ୩ଟି ମାମଲା ରୁଜୁ କରି ୧୭ଜଣଙ୍କୁ ଗିରଫ କରିଛି। ଏନେଇ ଓକିଲଙ୍କ ବିରୁଦ୍ଧରେ ଟାଉନ ଥାନାରେ ୪୮୦/୨୦୨୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଆଇପିସିର ୧୪୭, ୩୪୧,୩୨୩, ୩୫୩,୩୩୨, ୫୦୬, ୧୮୬, ୧୮୮, ୧୪୯ ଧାରା ଲଗାଇଛି। ସେହିପିର ଅନ୍ୟ ସଂଗଠନ ଯେପରି ଭୀମ ଆର୍ମୀ, ବଜରଙ୍ଗଦଳ, ମାରଓ୍ବାଡି ଯୁବ ମୋର୍ଚ୍ଚା, ଘୁନଘୁଡିପଡା ବିସ୍ଥାପିତ ସଂଘ, ଏବିଭିପି ଓ ଅନ୍ୟାନ୍ୟ ସଂଗଠନ ପରେ ଟାଉନ ଥାନାରେ ୪୭୯/୨୦୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ଆଇପିସିର ୧୪୭, ୩୪୧, ୧୮୬, ୧୮୮, ୨୯୪, ୫୦୬, ୩୫୩, ୩୩୨ ଓ ୧୪୯ ଧାରା ଲାଗିଛି।

ସମ୍ବଲପୁର ସହର କଚେରୀ ଛକରେ କୋର୍ଟ ପରିଧିର ୨୦୦ ମିଟର ଭିତରେ ୧୪୪ ଧାରା ଲାଗୁ କରାଯାଇଛି। କୋର୍ଟ କଚେରୀ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଛି। ଏନେଇ ଅନ୍ୟ ଜିଲ୍ଲାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଜିଲ୍ଲାର ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଏହା ସହ ଦରକାର ପଡିଲେ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପଟେ ଓକିଲଙ୍କ ଗିରଫଦାରୀ ଓ ଲାଇସେନ୍ସ ବାତିଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ସହ ଏହାକୁ ବେଆଇନ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ଯକ୍ଷ ପ୍ରଦୀପ ବହିଦାର। ଆନ୍ଦୋଳନ ଚାଲିଥିଲା, ଚାଲିଛି ଓ ଚାଲିବ ବୋଲି ସେ ଜୋରଦେଇଛନ୍ତି। କୋର୍ଟରୁମ ଭିତରେ ବିଚାରପତିଙ୍କୁ ସୁରକ୍ଷା ଦେଇନପାରିବା ପୁଲିସର ନିଷ୍କ୍ରିୟତାକୁ ସୂଚାଉଛି। ପୁଲିସର ଅତ୍ଯାଚାର ବଢିବାରୁ ଜନସାଧାରଣ ଗତକାଲି ଏପରି ପଦକ୍ଷେପ ନେଇଥିଲେ। ଆମକୁ ବାର କାଉନସିଲ ଅଫ ଇଣ୍ଡିଆ ଲାଇସେନ୍ସ ପ୍ରଦାନ କରି ନଥିବାବେଳେ ବାତିଲ କରିବାର ଅଧିକାର ମଧ୍ଯ ବାର କାଉନସିଲ ଅଫ ଇଣ୍ଡିଆର ନାହିଁ। ଏନେଇ ଆମେ ନ୍ଯାୟିକ ଲଢେଇ ଲଢିବୁ ବୋଲି ଶ୍ରୀ ବହିଦାର କହିଛନ୍ତି।