ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନ ଖେଳ ଜାରି ରହିଥିବା ବେଳେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳରେ ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଦିନର ଖେଳରେ ହିଁ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ଭାରତର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଭାରତୀୟ ଦଳର ଦ୍ବିତୀୟ ଓ୍ବିକେଟ କିପର ଭାବେ ୪ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଛନ୍ତି ବାମହାତୀ ବ୍ୟାଟର ପନ୍ତ । ତେବେ ତାଙ୍କ ପୂର୍ବରୁ କେବଳ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।
ଋଷଭ ପନ୍ତଙ୍କ ପୂର୍ବରୁ ଧୋନୀ ଏକମାତ୍ର ଓ୍ବିକେଟ୍ କିପର୍ ଯିଏକି ୪ ହଜାର ଅନ୍ତର୍ଜାତୀୟ ରନ କରିଛନ୍ତି । ମୋଟ ୫୩୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଧୋନୀ ମୋଟ ୧୭,୦୯୨ ରନ କରିଥିବା ବେଳେ ସେଥିରେ ୧୫ଟି ଶତକ ଏବଂ ୧୦୮ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ପନ୍ତ ବର୍ତ୍ତମାନ ସୁଦ୍ଧା ମୋଟ ୧୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୩୩.୭୮ ହାରରେ ୪୦୨୧ ରନ କରିସାରିଲେଣି । ପନ୍ତଙ୍କ ସର୍ବାଧିକ ସ୍କୋର ରହିଛି ଅପରାଜିତ ୧୫୯ ରନ । ତେବେ କେବଳ ଓ୍ବିକେଟ୍ କିପର ଭାବେ ପନ୍ତ ୧୦୯ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ସହ ୩୬୫୧ ରନ କରିଛନ୍ତି ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ, ପନ୍ତ ୪୫ ବଲ ଖେଳି ୬ଟି ଚୌକା ଏବଂ ୨ଟି ଛକା ସହ ଉପଯୋଗୀ ୪୬ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ରିପୋର୍ଟ ଲେଖାହେବା ସୁଦ୍ଧା ଭାରତ ୬୭ ଓଭରରେ ୪ ଓ୍ବିକେଟ ହରାଇ ସଂଗ୍ରହ କରିଛି ୨୦୯ ରନ । ଓପନର ଲୋକେସ ରାହୁଲ ୨୨ ରନ କରି ଆଉଟ ହୋଇଥିବା ବେଳେ ଶୁଭମାନ ଗିଲ ୨୦ ରନ, ବିରାଟ କୋହଲି ୧ରନ, ଋଷଭ ପନ୍ତ ୪୬ ରନ କରି ଆଉଟ ହୋଇଛନ୍ତି । ଚେତେଶ୍ବର ପୁଜାରା ଓ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି । ପୁଜାରା ୬୪ ରନ ଏବଂ ଶ୍ରେୟସ ଆୟର ୫୪ ରନ କରି ବ୍ୟାଟିଂ ଜାରି ରଖିଛନ୍ତି । ବାଂଲାଦେଶ ପକ୍ଷରୁ ତୈଜୁଲ ଇସଲାମ୍ ସର୍ବାଧିକ ଓ୍ବିକେଟ ନେଇଥିବା ବେଳେ ମେହିଦି ହାସନ ଏବଂ ଖଲିଦ ଅହମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।





