ଦିଲ୍ଲୀରେ ଚାଞ୍ଚଲ୍ୟ; ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ମାଡ଼, ସିସିଟିଭିରେ କଏଦ ହେଲା ଘଟଣା

ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଉପରେ ଏସିଡ ଆକ୍ରମଣ ବୁଧବାର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଅଭିଯୁକ୍ତ ଯୁବକ ଓ ଛାତ୍ରୀ ପୂର୍ବରୁ ପରସ୍ପରକୁ ଜାଣିଛନ୍ତି। ଛାତ୍ରୀ ବୁଧବାର ସ୍କୁଲ ଯାଉଥିବା ବେଳେ ଯୁବକ ଅଚାନକ ଏସିଡ୍ ଫିଙ୍ଗିଥିଲା।

ତେବେ ପୀଡି଼ତା ଛାତ୍ରୀ ଦିଲ୍ଲୀସ୍ଥିତ ମୋହନ ଗାର୍ଡନରେ ଭଡ଼ା ଘରେ ରହନ୍ତି। ପୂ୍ର୍ବାହ୍ନ ପ୍ରାୟ ୯ଟା ବେଳେ ଛାତ୍ରୀ ସ୍କୁଲକୁ ଯାଉଥିବା ବେଳେ ଦ୍ୱାରକା ମେଟ୍ରୋ ଷ୍ଟେସନ ନିକଟରେ ଯୁବକ ତାଙ୍କ ଉପରକୁ ଏସିଡି ଫିଙ୍ଗିଥିଲା। ଏସିଡ ଆକ୍ରମଣରେ ଆହତ ଛାତ୍ରୀଙ୍କୁ ତୁରନ୍ତ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କୁହାଯାଉଛି ଏସିଡ ଆକ୍ରମଣ କାଳରେ ଛାତ୍ରୀଙ୍କ ସହ ତାଙ୍କ ସାନ ଭଉଣୀ ମଧ୍ୟ ଥିଲେ। ସାନ ଝିଅ ଘଟଣାରେ ୨ ଜଣଙ୍କୁ ସନ୍ଦେହ କରୁଥିବା ବେଳେ ପୋଲିସ ଜଣକୁ ଅଟକ ରଖି ପଚରା ଉଚରା କରୁଛି।

ସେପଟେ ଦିଲ୍ଲୀରେ ଛାତ୍ରୀଙ୍କ ଉପରେ ଏସିଡ ଆକ୍ରମଣ ଖବର ଚାରିଆଡ଼େ ବ୍ୟାପି ଯାଇଛି। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏସିଡ ଆକ୍ରମଣ ଖବର ମିଳିବାମାତ୍ରେ ପୋଲିସ ପ୍ରଶାସନ ଏବେ ଆକ୍ସନମୋଡକୁ ଆସି ଯାଇଛି। ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଦଖଲ ଦେଇଥିବା ବେଳେ ଏପରି ଆକ୍ରମଣରେ ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ମାଲିୱାଲ ଏକ ଟ୍ୱିଟ୍‌ କରିଥିବା ବେଳେ ପୀଡ଼ିତାଙ୍କ ସହାୟତା ନିମନ୍ତେ ଆମ ଟିମ୍‌ ଖୁବ୍ ଶୀଘ୍ର ମେଡିକାଲକୁ ଯାଉଥିବାର ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ମହିଳା ଆୟୋଗ ଦୀର୍ଘ ବର୍ଷରୁ ଦେଶରେ ଏସଡି ବ୍ୟାନ କରିବା ଲାଗି ଲଢେଇ ଲଢି ଆସୁଛନ୍ତି। ଏଥିରେ ଘଟିଥିବା ଘଟଣାରେ ମହିଳା କମିଶନ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଏହି ଝିଅକୁ ଆମେ ନ୍ୟାୟ ଦେବୁ ବୋଲି ମାଲିୱାଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

Related Posts