ଭୁବନେଶ୍ୱର,୧୫/୧୨ (ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ବାହୁବଳୀ ତଥା ପୂର୍ବ ବିଧାୟକ ମୁକ୍ତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ୧୦ ବର୍ଷ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । କେବଳ ମୁ୍କ୍ତାର ଅନସାରୀ ନୁହଁନ୍ତି ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ମଧ୍ୟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ତେବେ ଗତ ଡ଼ିସେମ୍ବର ୮ ତାରିଖ ଦିନ କୋର୍ଟରେ ମୁକ୍ତାର ଅନସାରୀ ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଦଣ୍ଡ ବିଧାନ ବେଳେ ଭୀମ ସିଂ କୋର୍ଟରେ ହାଜର ହୋଇଥିବା ବେଳେ ମୁକ୍ତାରଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ତେବେ ମୁକ୍ତାର ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କ ନାମରେ ୧୯୯୬ ମସିହାରେ ମାମଲା ରୁଜୁ ହୋଇଥିଲା । ୨୬ ବର୍ଷ ପରେ କୋର୍ଟ ସେହି ମାମଲାରେ ବାହୁବଳୀ ନେତା ମୁକ୍ତାର ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୁକ୍ତାରଙ୍କ ଉପରେ ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜେନ୍ଦ୍ର ସିଂ ହତ୍ୟାକାଣ୍ଡ, ବଶିଷ୍ଠ ତିୱାରୀ ଓରଫ ମାଲା ଗୁରୁ ହତ୍ୟାକାଣ୍ଡ, ଅବଧେଶ ରାୟ ହତ୍ୟାକାଣ୍ଡ, କନେଷ୍ଟବଳ ରଘୁବଂଶ ସିଂ ହତ୍ୟାକାଣ୍ଡ ସହ ଗାଜିପୁରର ଆଡିସନାଲ ଏସପି ଏବଂ ଅନ୍ୟ ପୋଲିସକର୍ମୀ ଉପରେ ମରଣାତ୍ମକ ଆକ୍ରମଣ ଭଳି ମାମଲା ରହିଛି ।