ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତରେ ପହଞ୍ଚିଲା ଶେଷ ରାଫେଲ ଯୁଦ୍ଧ ବିମାନ। ଚୁକ୍ତି ଅନୁସାରେ ଫ୍ରାନ୍ସରୁ ଭାରତୀୟ ବାୟୁ ସନାକୁ ୩୬ଟି ଯୁଦ୍ଧ ବିମାନ ମିଳିବା ସମ୍ପୂର୍ଣ୍ଣ ହୋଇଛି। ଫ୍ରାନ୍ସରୁ ଉଡ଼ାଣ ଭରି ଗୁରୁବାର ୩୬ ନମ୍ବର ତଥା ଶେଷ ରାଫେଲଟି ଭାରତରେ ପହଞ୍ଚିଥିବା ସୂଚନା ମିଳିଛି। ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିମାନ ଦେବା ନେଇ ହୋଇଥିବା ଚୁକ୍ତି ଅନୁସାରେ ସମସ୍ତ ଜାହାଜ ଯୋଗାଇ ଦିଆଯାଇଛି। ତେବେ ଯୁଦ୍ଧ ବିମାନ ପହଞ୍ଚିବା ପରେ ଅଧିକ ଉତ୍ସାହିତ ହୋଇଛି ଭାରତୀୟ ବାୟୁସେନା। ଏନେଇ ଆଇଏଏଫ ପକ୍ଷରୁ ଏକ ଟ୍ୱିଟ କରାଯାଇଛି। ସେଥିରେ ପ୍ୟାକ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ, ୩୬ଟି ରାଫେଲ ଯୋଗାଣ ପାଇଁ ଭାରତ ଫ୍ରାନ୍ସ ସହ ଚୁକ୍ତି କରିଥିଲା। ପୂର୍ବରୁ ଫ୍ରାନ୍ସ ପକ୍ଷରୁ ୩୫ଟି ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଥିଲା । ତେବେ ଗୁରୁବାର ୩୬ ନମ୍ବର ଜାହାଜଟି ଭାରତରେ ପହଞ୍ଚିଛି। ସେ ଗୁଡ଼ିକୁ ହରିୟାଣାର ଆମ୍ବଲା, ପଶ୍ଚିମବଙ୍ଗର ହସିମରା ସାମରିକ ବିମାନ ଷ୍ଟେସନରେ ରଖାଯାଇଛି । ତେବେ ରାଫେଲର ପ୍ରଥମ ବ୍ୟାଚ୍ ୨୦୨୦ ଜୁଲାଇ ୨୯ରେ ଭାରତରେ ପହଞ୍ଚିଥିଲା।
ସୂଚନା ଅନୁଯାୟୀ, ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ନିକଟରେ ସରକାର ମୋଟ ରାଶିର ୭୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ ଦେଇଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସଲଟ୍ ଆଭିଏସନକୁ ପ୍ରଦାନ କରିବେ ।
