ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସରେ ଯୋଗଦେଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ୍ଲି ରଥ ଏବଂ ଗାୟିକା ପମି ମିଶ୍ର। ରାଜ୍ୟ କଂଗ୍ରେସର ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ରବିବାର ଏହି ଦୁଇ କଳାକାର ଦଳରେ ସାମିଲ ହୋଇଛନ୍ତି।
କଂଗ୍ରେସରେ ଯୋଗ ଦେବା ପରେ ଗୁଡ୍ଲି ରଥ କହିଛନ୍ତି ଯେ, ତାଙ୍କ ବାପା ଗଙ୍ଗାଧର ରଥ କଂଗ୍ରେସର ବଡ ସମର୍ଥକ।ତେଣୁ ସେ କଂଗ୍ରେସରେ ସାମିଲ ହେବାର ଏହା ପ୍ରଥମ କାରଣ। ଦ୍ୱିତୀୟ କଥା ହେଉଛି, ରାହୁଲ ଗାନ୍ଧିଙ୍କ ପଦଯାତ୍ରା ତାଙ୍କୁ ଖୁବ୍ ପ୍ରେରଣା ଦେଇଛି। ତୃତୀୟ କଥା ହେଲା ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କୁ କଂଗ୍ରେସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଶରତ ପଟ୍ଟନାୟକ ଜଣେ ଭଲ ଲୋକ ଓ ଶରତଙ୍କ ଆଦର୍ଶ ତାଙ୍କୁ ବହୁତ ଭଲ ଲାଗିଛି। ସେହିପରି ଚଳିତ ବର୍ଷ କଂଗ୍ରେସ ତରଫରୁ ଭୁବନେଶ୍ବରର ମେୟର ପ୍ରାର୍ଥୀ ହୋଇଥିବା ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ତାଙ୍କୁ ଦଳରେ ଯୋଗ ଦେବା ଲାଗି କହିଥିଲେ। ସେଥିପାଇଁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗୁଡ୍ଲି ଆହୁରି କହିଛନ୍ତି ଯେ, ତାଙ୍କ ଦ୍ୱାରା ଯାହା କିଛି ସମ୍ଭବ ହୋଇପାରିବ ସେ କଂଗ୍ରେସ ପାଇଁ ତାହା କରିବେ।
ତେବେ କଂଗ୍ରେସ ଏବେ ରାଜ୍ୟରେ ତା’ର ଅସ୍ତିତ୍ୱ ହରାଉଥିବା ବେଳେ ଗୁଡ୍ଲି ଓ ପମିଙ୍କ ଭଳି ଲୋକପ୍ରିୟ କଳାକାର ଦଳରେ ସାମିଲ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
