ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ନନ୍ଦନକାନନ ସ୍ଥିତ ପଦାସାହି ଘରୁ ଏଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ। ଘରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ। ହେଲେ ଆଜି ସକାଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେଣୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କୁହାଯାଉଛି, ଗତକାଲି ଅଫିସ୍‌ରୁ ଫେରିବା ପରେ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ତେବେ ପରିବାର ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ମଙ୍ଗଳାବାଗ ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।