ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । କଣ୍ଟାବାଞ୍ଝି ଜେଲରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଜେଲ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । କଣ୍ଟାବାଞ୍ଝି ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଗୋବିନ୍ଦ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଆଜି ଗୋବିନ୍ଦଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଥାନ୍ତା କିନ୍ତୁ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ମହାଲିଙ୍ଗ କଲେଜ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଗୋବିନ୍ଦ । ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ପଡିଆରେ ଗାତ କରି ପୋଡିବା ସହ ଗୋବିନ୍ଦ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ପରେ ଏହାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା । ଏପରିକି ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବର୍ତମାନର ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଆଣି ସରକାରଙ୍କୁ ଘେରିଥିଲେ ବିରୋଧୀ ।
