
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହତ୍ୟାକାରୀ ଗୋବିନ୍ଦ ସାହୁକୁ ଫାଶୀ ହେଲେ ମୋ ଝିଅକୁ ନ୍ୟାୟ ମିଳିବ। ଆଜି ଏପରି କହିଛନ୍ତି ମମିତା ମେହେରଙ୍କ ମାଆ ତୁଳସୀ ମେହେର। ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କଣ୍ଟାବାଞ୍ଜି ଏଡିଜେଙ୍କ କୋର୍ଟକୁ ଆଜି ସାକ୍ଷୀ ଦେବାକୁ ଆସିଥିବା ବେଳେ ଏମିତି କହିଛନ୍ତି ତୁଳସୀ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ହୋଇଯାଇଥିଲେ।ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ମମିତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏଥିରେ ଗୋବିନ୍ଦ ସାହୁର ହାତ ଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି ଜେଲ୍ ପଠାଇଥିଲା।
ଏବେ ମମିତା ମେହେର ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଛି। କଣ୍ଟାବାଜିଂ ଏଡିଜେ କୋର୍ଟରେ ଜଣେ ପରେ ଜଣେ ଆସି ସାକ୍ଷ୍ୟ ପ୍ରଦାନ କରୁଛନ୍ତି। ଏହି କ୍ରମରେ ଆଜି ମୃତ ଶିକ୍ଷୟିତ୍ରୀ ମମିତାଙ୍କ ମାଆ ତୁଳସୀ ମେହେର ସାକ୍ଷୀ ଦେବାକୁ ଆସିଥିଲେ। ସାକ୍ଷ୍ୟ ଦେବା ସମୟରେ ନିଜ ଝିଅକୁ ମନେ ପକାଇ କାନ୍ଦି ପକାଇ ଥିଲେ ତୁଳସୀ।
ଅନ୍ୟପକ୍ଷରେ ଆଜି ମମିତାଙ୍କ ସଂପର୍କୀୟ ପୁତୁରା ଆୟୁଷ ମେହେର ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୯ ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣର ତାରିଖ ଆସନ୍ତା ୨୯ ଓ ୩୦ ତାରିଖ ରଖାଯାଇଛି। ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ପାଇଁ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡିକୁ କଡା ସୁରକ୍ଷା ଭିତରେ ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଗୋବିନ୍ଦ ଦୋଷୀ ସାବ୍ୟସ୍ତ ହେବା ସହିତ ସଜା ପାଇବ ବୋଲି କହିଛନ୍ତି ସରକାରୀ ଅମରେନ୍ଦ୍ର ମିଶ୍ର ଓକିଲ।
ଆଜି କୋର୍ଟରେ ସାକ୍ଷୀ ଦେବାକୁ ଆସିଥିବା ବେଳେ ଗଣମାଧ୍ୟମକୁ ମମିତାଙ୍କ ମାଆ ତୁଳସୀ ମେହେର କହିଛନ୍ତି ଯେ, ଝିଅ ହତ୍ୟାକାରୀ ଗୋବିନ୍ଦ ସାହୁକୁ ଫାସି ଦଣ୍ଡ ଦିଆଯାଉ। ତା’ ପରେ ମୋ ଝିଅର ଆତ୍ମା ଶାନ୍ତି ପାଇବ ବୋଲି ତୁଳସୀ କହିଛନ୍ତି।