ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଉଥିବାବେଳେ ଏହାକୁ ମୁକାବିଲା ପାଇଁ ଭାରତ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୂର୍ବରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ରହିବାକୁ କହିଥିବା କେନ୍ଦ୍ର ସରକାର ଏବେ ଆଉ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।

ସଂକ୍ରମଣକୁ ଦେଶରେ ରୋକିବା ପାଇଁ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ଚାଇନା, ଦକ୍ଷିଣ କୋରିଆ, ଜାପାନ, ହଂକଂ ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଲୋକମାନେ ଏଣିକି ବାଧ୍ୟତାମୂଳକ ଭାବେ କରୋନା ଟେଷ୍ଟ କରାଇବେ। ଯଦି ଭାରତରେ ସେମାନଙ୍କ ଟେଷ୍ଟ ପଜିଟିଭ ଆସିବ, ତା’ହେଲେ ସେମାନେ କ୍ୱାରେଣ୍ଟିନରେ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, “ଦେଶରେ ଯେମିତି ମହାମାରୀ ସଂକ୍ରମଣ ନ ବ୍ୟାପିବ, ସେଥିପାଇଁ ଆମେ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଦେଇଛୁ। ଚାଇନାରେ ଏବେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଚାଇନା, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ବ୍ୟାଙ୍କକରୁ ଆସୁଥିବା ବିମାନ ଯାତ୍ରୀମାନେ ଏୟାର ସୁବିଧା ପୋର୍ଟଲରେ ପଞ୍ଜୀକରଣ କରିବେ। ସେମାନଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ ହେବ। ଭାରତକୁ ଆସିବା ପରେ ଲକ୍ଷଣ ଯୁକ୍ତ ଲୋକ ଓ ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଆମେ ଦେଶକୁ ସଂକ୍ରମଣରୁ ରକ୍ଷା କରିପାରିବା।”

ଏହି ନିର୍ଦ୍ଦେଶର ଦିନକ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡବୀୟ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତିକୁ ନେଇ ବୈଠକ କରିଥିଲେ। ଏଥିସହ ସମସ୍ତଙ୍କୁ ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ।

ଅନ୍ୟପଟେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହି ଚିଠିରେ ହସ୍ପିଟାଲ ଭିତ୍ତିଭୂମି ଠାରୁ ଆରମ୍ଭ କରି ଅକ୍ସିଜେନ ସପ୍ଲାଇ ଓ ମେଡିସିନ ମହଜୁଦ ରଖିବାକୁ କୁହାଯାଇଛି। ସମସ୍ତ ଅକ୍ସିଜେନ ପ୍ଲାଣ୍ଟକୁ ଚାଲୁ ରଖିବା ସହ ଆବଶ୍ୟକ ମେଡିକାଲ ସୁବିଧାର ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ସମସ୍ତଙ୍କୁ କହିଛି। ଆବଶ୍ୟକ ପଡ଼ିଲେ ସବୁ ପ୍ରକାରର କଟକଣା ଲଗାଇବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି।