ଭୁବନେଶ୍ୱର,୨୫/୧୨(ସତ୍ୟପାଠ ବ୍ୟୁରୋ): ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ମାଜିଷ୍ଟ୍ରେଟ୍‌ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ପୁରା ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜେଲ ମହା ନିର୍ଦ୍ଦେଶକ (ଡ଼ିଜି) । ତେବେ ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମସ୍ତ ବ୍ୟବସ୍ଥା କରିବାକୁ ଜେଲ ଡ଼ିଜି ନିର୍ଦ୍ଦେଶ ଦେଇଛନ୍ତି । ଏନଏଚଆରସିଙ୍କ ଗାଇଡଲାଇନ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

ତେବେ ଗତ ୨୦ ତାରିଖରେ କଣ୍ଟାବାଞ୍ଜି ଜେଲରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଖବର ଆସିଥିଲା । ତେବେ ମୃତ୍ୟୁ ହେବା ପରେ ଗୋବିନ୍ଦର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ମିଳିଥିଲା । ଲଫାଫା ଭିତରେ ମିଳିଥିବା ଦୁଇ ପୃଷ୍ଠାର ଚିଠି ତାଙ୍କ ମୃତ୍ୟୁ ସହ ସଂପର୍କ ରହିଥିବା ପରିବାରବର୍ଗ ତଥା ସଂପର୍କୀୟ ଆଶଙ୍କା କରୁଛନ୍ତି। ତେଣୁ ଚିଠିକୁ ଦେଖିବା ପାଇଁ ସମ୍ପର୍କୀୟମାନେ ଚେଷ୍ଟା କରିଛନ୍ତି। ପୁଲିସକୁ ନେହୁରା ହୋଇଥିଲେ ମଧ୍ୟ ଚିଠିଟି ଦେଖିବାକୁ ଦିଆଗଲା ନାହିଁ ବୋଲି କହିଛନ୍ତି ଗୋବିନ୍ଦଙ୍କ କକା ଶ୍ବଶୁର ମହେନ୍ଦ୍ର ସାହୁ । ଗତ ଚାରି ଦିନ ଧରି ମହାଲିଙ୍ଗ ଅଞ୍ଚଳରେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ଲୁଚା ଛପାରେ ଟୁପରୁଟାପୁରୁ ଚାଲିଥିଲା । ହେଲେ ଶନିବାର କ୍ରାଇମ ବ୍ରାଞ୍ଚ ଟିମ୍‌ ଗୋବିନ୍ଦଙ୍କ ହାତଲେଖା ଖୋଜିବା ପରେ ଚିଠିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଇଯାଇଛି ।

ପ୍ରଥମେ ଶୁଣାଗଲା ତାହା ସୁଇସାଇଡ ନୋଟ । କିଛି ରାଜନୈତିକ ମହଲରେ ଛନକା ପଶିଲା । ତା’ପରେ କୁହାଯାଉଛି ମୃତ୍ୟୁ ପୂର୍ବରୁ ଗୋବିନ୍ଦ କୁଆଡ଼େ ବଡ ଝିଅ ଉଦ୍ଦେଶ୍ୟରେ କିଛି ଲେଖିଛନ୍ତି । ଚିଠି ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଥିବା କୁହାଯାଉଛି। ତେବେ ଚିଠିରେ ସେ କ’ଣ ଲେଖିଥିବେ ? ଗତବର୍ଷ ଅକ୍ଟୋବରରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଲେଖିଥିବେ କି ? କେଉଁ ରାଜନୈତିକ ନେତାଙ୍କ ସମ୍ପୃକ୍ତି କଥା ଲେଖିଥିବେ କି ? ତାଙ୍କ ଅବର୍ତ୍ତମାନରେ କଲେଜ ପରିଚାଳନା କଥା ସେଇ ଚିଠିରେ ଉଲ୍ଲେଖ ଥିବ କି ? ଏମିତି ଅନେକ କଥା ମହାଲିଙ୍ଗ ତଥା ଆଖପାଖ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଚିଠିଟି କେହି ଦେଖି ନାହାନ୍ତି ସିନା, କିନ୍ତୁ ଚିଠିକୁ ନେଇ ଚର୍ଚ୍ଚା ସରଗରମ ରହିଛି।