ତେଲେଙ୍ଗାନା ସରକାରଙ୍କ ନୂଆ ନିୟମ; ଏଣିକି ମୁସଲିମ ଝିଅଙ୍କ ବିବାହ ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ

ଭୁବନେଶ୍ୱର,୨୫/୧୨(ସତ୍ୟପାଠ ବ୍ୟୁରୋ): ମୁସଲିମ ବିବାହ କ୍ଷେତ୍ରରେ କଠୋର ହୋଇଛନ୍ତି ତେଲେଙ୍ଗାନା ସରକାର। ନାବାଳିକା ମୁସଲମାନ ଝିଅମାନଙ୍କର ବିବାହ କରାଉଥିବା କାଜୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନାର କେସିଆର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ୱାକଫ ବୋର୍ଡକୁ ମଧ୍ୟ ସମସ୍ତ ବିବାହର ବିବରଣୀ ଅନଲାଇନରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାଜୀମାନଙ୍କୁ ବର ଏବଂ କନ୍ୟା ପ୍ରାପ୍ତବୟସ୍କ କି ନୁହେଁ ତାହା ଚିହ୍ନଟ କରିବାକୁ କୁହାଯାଇଛି। ଯଦି ଉଭୟ ପ୍ରାପ୍ତ ବୟସ୍କ ତେବେ ହିଁ ବିବାହ କରାଇବାକୁ କୁହାଯାଇଛି |

ସାଉଦିଆରବ ପୁରୁଷଙ୍କ ସହ ଜଣେ ନାବାଳିକାଙ୍କ ବିବାହ କରାଯାଉଥିବା ଅଭିଯୋଗ ପାଇବା ପରେ ତେଲେଙ୍ଗାନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ୱାରା ବାଲ୍ୟ ବିବାହକୁ ରୋକିବା ପାଇଁ ବର ଏବଂ କନ୍ୟାଙ୍କର ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି ଏବଂ ଅନ୍ୟ କୌଣସି ପରିଚୟ ଆଧାରରେ ବିବାହ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଶେଷକରି, କାଜୀମାନଙ୍କୁ ବର ଓ କନ୍ୟାଙ୍କର ଆଧାର କାର୍ଡ ଯାଞ୍ଚ କରି ବିବାହ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମୁସଲମାନ ଝିଅମାନଙ୍କ ବିବାହ ପରେ ତୁରନ୍ତ ୱାକଫ ବୋର୍ଡରେ ବିବାହର ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

ଏଭଳି ନ କଲେ କାଜୀ ଏବଂ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ଏତିକି ନୁହେଁ, କାଜୀଙ୍କ ନିଯୁକ୍ତିକୁ ନେଇ ସରକାର ମଧ୍ୟ ନିୟମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ୱାରା କାଜୀମାନଙ୍କୁ ନିଯୁକ୍ତ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆବେଦନକୁ ସମୀକ୍ଷା କରିବେ ଏବଂ ବିଭାଗକୁ ତାଙ୍କ ସୁପାରିଶ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Related Posts