ପରଲୋକରେ ତେଲୁଗୁ ସିନେମା ଜଗତର ଲୋକପ୍ରିୟ ଅଭିନେତା ଚଲପତି ରାଓ

ଭୁବନେଶ୍ୱର,୨୫/୧୨(ସତ୍ୟପାଠ ବ୍ୟୁରୋ): ପରଲୋକରେ ତେଲୁଗୁ ସିନେମା ଜଗତର ଲୋକପ୍ରିୟ ଅଭିନେତା ଚଲପତି ରାଓ। ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ନିଜ ପୁଅ ତଥା ଅଭିନେତା-ଫିଲ୍ମ ନିର୍ମାତା ରବି ବାବୁଙ୍କ ସହ ରହୁଥିଲେ ଅଭିନେତା ଚଲପତି ରାଓ।

ତେବେ ଚଲପତି ରାଓଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଝିଅ ଆମେରିକାରୁ ଆସିବା ପରେ ଡିସେମ୍ବର ୨୮ରେ ଅଭିନେତାଙ୍କ ଶେଷ ରୀତିନୀତି କରାଯିବ। ସେ ପର୍ଯ୍ୟନ୍ତ ତାଙ୍କ ମୃତଦେହ ରବି ବାବୁଙ୍କ ଘରେ ରଖାଯିବ, ଯେଉଁଠାରେ ବିଭିନ୍ନ କଳାକାର ଏବଂ ପ୍ରଶଂସକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ଏହା ପରେ ଜୁବୁଲି ହିଲ୍ସର ମହାପ୍ରସ୍ଥାନମକୁ ଚଲପତି ରାଓଙ୍କୁ ନିଆଯିବା ସହ ସେଠାରେ ବୁଧବାର ଶେଷ ରୀତିନୀତି କରାଯିବ।

ଅନ୍ୟପଟେ ତାଙ୍କ ଦେହାନ୍ତ ଖବର ପାଇବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତଥା ସାଥୀ କଳାକାରଙ୍କ ସମବେଦନା ବାର୍ତ୍ତା ଆସିବା ଆରମ୍ଭ ହୋଇଛି। ସିନେମା କିମ୍ବଦନ୍ତୀ ଅଲାରୀ ନରେଶ, ପୱନ କଲ୍ୟାଣ, ସାଇ ଧରମ ତେଜ ଏବଂ ନନ୍ଦମୁରୀ ବାଲକ୍ରିଷ୍ଣଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ, ୧୯୪୪ ମସିହା ମେ ୮ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଚଲପତି ରାଓ ଗତ ପାଞ୍ଚ ଦଶନ୍ଧି ଧରି ତିନି ପିଢ଼ିର ଶୀର୍ଷ ତାରକାଙ୍କ ସହ ଅଭିନୟ କରିଥିଲେ। ସେ ୧୯୬୬ମସିହାରେ ‘ଘୋଡାଚରି ୧୧୬’ ସହିତ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ନିଜ କ୍ୟାରିୟରରେ ‌ସେ ଫିଲ୍ମ ପ୍ରଯୋଜନା କରିବା ସହ ଅଭିନେତା ଏନଟି ରାମା ରାଓ, ନାଗାର୍ଜୁନ, ଭେଙ୍କଟେଶ, କ୍ରିଷ୍ଣା, ଚିରଞ୍ଜିବିଙ୍କ ଭଳି ଅଭିନେତାଙ୍କ ସହ କାମ କରିଛନ୍ତି।

Related Posts