ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ଗତକାଲିର ଅଘଟଣ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ।ଶ୍ରୀମନ୍ଦିରରେ ସ୍କୁଲ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପ୍ରବେଶ ଓ ଦର୍ଶନ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ସୋମବାର ଦିଅଁ ଦର୍ଶନ ପାଇଁ ଆସିଥିବା ବେଳେ ମୟୂରଭଞ୍ଜର ୮ଜଣ ସ୍କୁଲ ଛାତ୍ରୀ ଭିଡ଼ ଭିତରେ ଅଣନିଶ୍ୱାସ ହୋଇପଡ଼ିଥିଲେ । ଯାହା ପରେ ଆଜି ପ୍ରଶାସନ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

ସ୍କୁଲ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନଙ୍କୁ ବ୍ୟାରିକେଡ୍ ବଦଳରେ ବାହାର ପଟ ରାସ୍ତା ବା ଶ୍ରୀମନ୍ଦିର ସୂଚନା କେନ୍ଦ୍ର ରାସ୍ତାରେ ଦର୍ଶନ ପାଇଁ ଛଡ଼ାଯାଉଛି । ତେବେ ଯେଉଁମାନେ ଭିଡ଼ରେ ଫସି ସମସ୍ୟାର ସମ୍ମୁଖୀନ ହେବେ, ସେମାନେ ସିଂହଦ୍ୱାର ଫାଣ୍ଡିରେ ଯୋଗଯୋଗ କରି ଦର୍ଶନ ପାଇଁ ପୋଲିସର ସହାୟତା ନେଇପାରିବେ ବୋଲି କହିଛନ୍ତି ପୁରୀ ଏସପି ।

ପୂର୍ବରୁ ମଧ୍ୟ ଏନେଇ ପରିଚାଳନା କମିଟିରେ ନିଷ୍ପତି ହୋଇଥିଲେ ମଧ୍ୟ ଦର୍ଶନ ବ୍ୟବସ୍ଥାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିଲା ବୋଲି ପରିଚାଳନା କମିଟିର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ତେବେ ଗତକାଲି ଯେଉଁ ଅଘଟଣ ଘଟିଲା, ତାହା ସମନ୍ୱୟର ଅଭାବ କାରଣରୁ ଘଟିଲା ବୋଲି ପୁରୀ ଏସପି କହିଛନ୍ତି ।

ସୂଚନା ଅନୁସାରେ, ଗତକାଲି ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ହୃଦାନନ୍ଦ ହାଇସ୍କୁଲର ୭୦ ଜଣ ଛାତ୍ରଛାତ୍ରୀ ବାଇଶିପାହାଚ ଦେଇ ଯିବାବେଳେ ହଠାତ୍ ୮ଜଣ ଛାତ୍ରୀ ଅଚେତ ହୋଇପଡିଥିଲେ । ସିଂହଦ୍ୱାର ନିକଟରେ ଲମ୍ବା ଲାଇନ ଯୋଗୁଁ ବାଇଶିପାହାଚରେ ପଂହଚିବା ବେଳକୁ ଛାତ୍ରୀମାନେ ହାଲିଆ ହୋଇଯାଇଥିଲେ । ଆଉ ଠେଲାପେଲା ହେବାରୁ ଅଣନିଶ୍ୱାସୀ ହୋଇ ବାଇଶିପାହାଚରେ ପଡିଯାଇଥିଲେ । ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।