ଭାରତୀୟ ରାଜନୀତିରେ ଗାନ୍ଧି ପରିବାର ହେଉଛି ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାର: ଗୌରବ ଭାଟିଆ

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ଗାନ୍ଧି ପରିବାର ହେଉଛି ଦେଶର କଟ୍ଟର ପାପୀ ପରିବାର । ଭାରତୀୟ ରାଜନୀତିରେ ଯଦି ସବୁଠୁ ଦୁର୍ନୀତିଗ୍ରସ୍ତ ପରିବାର କେହି ଥାଏ ତାହା ହେଉଛି ଗାନ୍ଧି ପରିବାର । ଏଭଳି କହି ସିଧାସଳଖ ଗାନ୍ଧି ପରିବାରକୁ ଟାର୍ଗେଟ୍‌ କରିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ । ଯାହାକୁ ନେଇ ସରଗରମ ହୋଇଛି ରାଜନୀତି ।

ତେବେ ଏକ ଅର୍ଥ ହେରଫେର୍‌ ମାମଲାକୁ ରଦ୍ଦ କରିବା ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରବର୍ଟ ଭଦ୍ରା, ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହାକୁ ନେଇ ସିଧାସଳଖ ଗାନ୍ଧି ପରିବାରକୁ ଟାର୍ଗେଟ୍‌ କରିଛି ବିଜେପି । ଦଳର ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ, ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଆସିଥିବା ଆର୍ଥିକ ହେରଫେର୍‌ ଏବଂ ଦୁର୍ନୀତି ଅଭିଯୋଗ ବାବଦରେ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ଉଭୟ ମୁହଁ ଖୋଲନ୍ତୁ । କାରଣ ରବର୍ଟ ହେଉଛନ୍ତି ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ । ଆଉ ଯେତେବେଳେ ଦେଶରେ କଂଗ୍ରେସ ସରକାର ଥିଲା ସେତେବେଳେ ଏହି ମହାଦୁର୍ନୀତି ହୋଇଥିଲା । କିନ୍ତୁ ଗାନ୍ଧି ପରିବାର ଏହାକୁ ଯୋଜନାବଦ୍ଧ ଭାବେ ରଫାଦଫା କରିନେଇଥିଲା।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ରବର୍ଟ ଭଦ୍ରାଙ୍କ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରିଦେଇଥିଲେ ରାଜସ୍ଥାନ ହାଇକୋର୍ଟ । ବିକାନେରର ଏକ କମ୍ପାନୀ ସ୍କାଏଲାଇନ୍‌ ହସ୍ପିଟାଲିଟି କିଣିଥିବା ଜମିକୁ ବେଆଇନ ଦର୍ଶାଇ ଏହା ବିରୁଦ୍ଧରେ ମାମଲା ଚାଲିଛି । ଯାହାର ମାଲିକାନା ରବର୍ଟ ଭଦ୍ରା ଓ ତାଙ୍କ ପରିବାର ଅଧିନରେ ରହିଛି । ଏହି ମହାଦୁର୍ନୀତିର ତଦନ୍ତଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିନରେ ରହିଛି । ତେବେ ଜମି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଏବଂ ବେଆଇନ ଭାବେ ଜମି କିଣାଯାଇଥିବା ନଜରକୁ ଆସିବା ପରେ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାକୁ ରଦ୍ଦ କରିବାକୁ ସେ କୋର୍ଟରେ ଆବେଦନ କରିଥିଲେ ଯାହାକି ଖାରଜ ହୋଇଯାଇଛି ।

କୋର୍ଟ ମାମଲାକୁ ରଦ୍ଦ କରିବାକୁ ମନା କରିବା ପରେ ବିଜେପି ମଧ୍ୟ ଗାନ୍ଧି ପରିବାରକୁ ଟାର୍ଗେଟ୍‌ କରିଛି । ଦଳର ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ, ଗାନ୍ଧି ପରିବାର ହେଉଛି ଭାରତୀୟ ରାଜନୀତିରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାର । ପୂର୍ବରୁ ଅନେକ ଦୁର୍ନୀତି ମାମଲାରେ ସେହି ପରିବାରର ୩ ଜଣ ଜେଲ ଯାଇ ଜାମିନରେ ଫେରିଛନ୍ତି ବୋଲି ସେ କହିଛନ୍ତି।

Related Posts