ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଗାଡ଼ି, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): କାର୍‌ ଦୁର୍ଘଟଣା ଯୋଗୁ ଆହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ଆଜି କର୍ଣ୍ଣାଟକାର ମହୀଶୂର ନିକଟରେ ପ୍ରହ୍ଲାଦ ମୋଦିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ କାର ଭିତରେ ପ୍ରହ୍ଲାଦ ମୋଦି, ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ରହିଥିଲେ। ଏମାନେ ସମସ୍ତେ ମର୍ସିଡିଜ ବେଞ୍ଜରେ ବାନ୍ଦିପୁରା ଯାଉଥିବା ସମୟରେ ମଧ୍ୟାହ୍ନ ୨ଟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

କାର୍‌ଟି ଭାରସାମ୍ୟ ହରାଇ ଡିଭାଡରରେ ପିଟି ହୋଇଯିବାରୁ ଏତେ ବଡ଼ ଘଟଣା ଘଟିଛି। ଦୁର୍ଘଟଣା ଯୋଗୁ ପ୍ରହ୍ଲାଦ ମୋଦିଙ୍କ କାର୍‌ର ସାମ୍ନା ପଟ ଅଂଶ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ସମସ୍ତଙ୍କୁ ମହୀଶୂରର ଜେଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରହ୍ଲାଦ ମୋଦିଙ୍କ ନାତିର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ ସେତେଟା ଗୁରୁତର ଆହତ ହୋଇ ନଥିବା ଜଣାପଡ଼ିଛି।

ପୁଲିସ୍‌ କହିଛି ଯେ ପ୍ରହ୍ଲାଦ ମୋଦି ତାଙ୍କ ପରିବାର ଲୋକଙ୍କ ସହ ମହୀଶୂରରୁ ମର୍ସିଡିଜ୍‌ ବେଞ୍ଜ ନେଇ ବାନ୍ଦିପୁରା ଯାଉଥିଲେ। କିନ୍ତୁ ଦିନ ପ୍ରାୟ ୨ଟା ସମୟରେ ଗାଡ଼ି ଭାରସାମ୍ୟ ହରାଇ କାଡାକୋଲା ନିକଟରେ ଡିଭାଡରରେ ପିଟି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ କାହାର ବି ବିଶେଷ କ୍ଷତି ହୋଇନି। କେବଳ କାର୍‌ର ସାମ୍ନା ପଟ ଅଂଶଟି କ୍ଷତିଗ୍ରସ୍ତ ହୋଇଛି। କାର୍‌କୁ ଜବତ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ଅଧିକାରୀ କହିଛନ୍ତି।

Related Posts