ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳାଙ୍କ ପାକସ୍ଥଳୀରେ ମାଇନର ସଂକ୍ରମଣ ହେବାରୁ, ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସୋମବାର ଏମ୍ସର ପ୍ରାଇଭେଟ ଓ୍ଵାର୍ଡରେ ସେ ଭର୍ତ୍ତି ହୋଇଥିଲେ । ଏହାସହ ସେ ନିୟମିତ ଭାବେ ଏମ୍ସକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସୁଥିବା କୁହାଯାଉଛି । ବୁଧବାର ସେ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।
ତେବେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ଭିତରେ ସୀତାରମଣଙ୍କ ଏମ୍ସରୁ ଡିସଚାର୍ଜ ହେବା ଖବର ମିଳିବା ଏକ ଭଲ ଖବର । ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହୋଇପାରେ । ଏହାରି ଭିତରେ ଶିଳ୍ପପତି ଓ ଚାମ୍ବର୍ସ ଅଫ କମର୍ସ ସହ ବୈଠକ କରି ସାରିଛନ୍ତି ସୀତାରମଣ । ଆଗାମୀ ବର୍ଷର ବଜେଟ ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ ହେବ । ଯେହେତୁ ୨୦୨୪ ଆରମ୍ଭରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି,ତେଣୁ ନିର୍ବାଚନ ପୂର୍ବରୁ ଏହି ବଜେଟ୍ କୁ ବେସ୍ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହାସହ ଏଥର ଆଗୁଆ ନିର୍ବାଚନ ହେବାର ବି ଚର୍ଚ୍ଚା ଜୋର ଧରିଛି ।





