ଭଗବାନ ରାମ ଓ ହନୁମାନ ବିଜେପିର କାର୍ଯ୍ୟକର୍ତ୍ତା ନୁହନ୍ତି, ତେଣୁ ତାଙ୍କ ଭକ୍ତି ଉପରେ ବିଜେପିର କପିରାଇଟ ନାହିଁ: ଉମା ଭାରତୀ

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କିଛିଦିନ ହେବ ନିଜ ବୟାନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ତଳେ ସେ ଭୋପାଳର ଲୋଧୀ ସମାଜ ଲୋକଙ୍କୁ ସମ୍ବୋଧିତ କରୁଥିବା ସମୟରେ କହିଥିଲେ କି, ବୁଝି ବିଚାରି ବିଜେପିକୁ ଭୋଟ ଦିଅ। ତାଙ୍କର ଏହି ବୟାନକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ପୁଣି ସେ ଭଗବାନ ରାମ ଓ ହନୁମାନଙ୍କ ଉପରେ ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଉମା ଭାରତୀ କହିଛନ୍ତି ଯେ, ଭଗବାନ ରାମଙ୍କର କେହି ବି ଭକ୍ତ ହୋଇପାରିବେ। ଭଗବାନ ରାମ ଓ ହନୁମାନ ବିଜେପିର କାର୍ଯ୍ୟକର୍ତ୍ତା ନୁହେଁ। ତେଣୁ ଭଗବାନ ରାମ ଓ ହନୁମାନଙ୍କୁ ଭକ୍ତି କରିବା ନେଇ କେବଳ ବିଜେପିର କପିରାଇଟ ନାହିଁ । ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ଦେଶରେ ଯେତେବେଳେ ବିଜେପିର ଅସ୍ଥିତ୍ୱ ନଥିଲା, ଯେତେବେଳେ ମୋଗଲ ଶାସନ ଥିଲା, ଇଂଗ୍ରେଜ ମାନଙ୍କର ଶାସନ ଥିଲା ସେତେବେଳେ ବି ଲୋକଙ୍କ ମନରେ ପ୍ରଭୂ ଶ୍ରୀରାମ ଓ ହନୁମାନ ଭଗବାନ ରୂପରେ ପୂଜା ପାଉଥିଲେ ବୋଲି ଉମା କହିଛନ୍ତି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦ୍ୱାରା ସିମରିୟା ଠାରେ ନିର୍ମାଣ କରାଯାଇଥିବା ଏକ ହନୁମାନ ମନ୍ଦିର ବାବଦରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଉମା ଏଭଳି କହିଛନ୍ତି ।

ସେପଟେ ଉମା ଭାରତୀ ଭୋପାଳ ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ ଦ୍ୱାରା ଦିଆଯାଇଥିବା ଏକ ବୟାନକୁ ସମର୍ଥନ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ସ୍ୱାଧୀ ପ୍ରଜ୍ଞା କହିଥିଲେ ଯେ, ହିନ୍ଦୁମାନେ ଧର୍ମରକ୍ଷା କରିବାକୁ ହେଲେ ନିଜ ଘରେ ଛୁରୀ ରଖନ୍ତୁ । ଏହା ଉପରେ ଉମା ଭାରତୀ କହିଛନ୍ତି କି ଭଗବାନ ରାମ ବନବାସ କାଳରେ ବି ପାଖରେ ଅସ୍ତ୍ର ରଖିବା ଛାଡି ନଥିଲେ । ଉମା ଭାରତୀ କହିଛନ୍ତି କି ଅସ୍ତ୍ର ରଖିବା ଭୁଲ ନୁହେଁ ବରଂ ହିଂସା ବିଚାର ରଖିବା ଭୁଲ ଅଟେ ।

Related Posts