ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ। ଏଥିପାଇଁ ଜାନୁୟାରୀ ୪ ତାରିଖରୁ ବିଭିନ୍ନ ଦେଶର ଖେଳାଳି, କୋଚ୍ ଓ ଟେକ୍ନିକାଲ ଷ୍ଟାଫ୍ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଯିବେ। ସେମାନଙ୍କ ରହିବା ପାଇଁ ସହରରେ ୯ଟି ତାରକା ହୋଟେଲର ବ୍ୟବସ୍ଥା କରାଯାଇଛି। ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ହୋଟେଲ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି।
ପ୍ରତି ହୋଟେଲରେ ଜଣେ ଡିଏସ୍ପିଙ୍କ ନେତୃତ୍ବରେ ୩ ଇନ୍ସପେକ୍ଟର, ୬ ସବ୍-ଇନ୍ସପେକ୍ଟର୍, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର୍, ୩ ସିଗନାଲ୍ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର୍, ଏପିଆର-୬, ୨ ପ୍ଲାଟୁନ୍ ଫୋର୍ସ ଏବଂ ୩ ହୋମ୍ଗାର୍ଡ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିବେ। ପ୍ରତି ହୋଟେଲ୍ ନିକଟରେ ପୁଲିସ କଣ୍ଟ୍ରୋଲ୍ ରୁମ କରାଯିବ। ସେହିପରି ସହରର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ସିସିଟିଭି ନଜର ରଖିବ। ଏନେଇ ଶୁକ୍ରବାର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଏକ ଟିମ୍ ଖେଳାଳି ରହିବାକୁ ଥିବା ତାରକା ହୋଟେଲ୍ଗୁଡ଼ିକୁ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। ଖେଳାଳି ହୋଟେଲରେ ରହିବା ବେଳେ ସେମାନଙ୍କ ସହ ହୋଟେଲର କର୍ମଚାରୀ କିପରି ଉତ୍ତମ ବ୍ୟବହାର ରହିବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଡିସିପି।
