ଭୁବନେଶ୍ଵର,୩/୧(ସତ୍ୟପାଠ ବ୍ୟୁରୋ): ନକଲି ମଦ କାରଖାନା ଚଳାଇବା ଅଭିଯୋଗରେ ବନ୍ଧା ହେଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ। ଢେଙ୍କାନାଳ ଜିଲ୍ଲା ୩ ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ଦଳିତ ନେତା ସୁବାସ ମାଝୀଙ୍କୁ ଢେଙ୍କାନାଳ ଅବକାରୀ ସ୍କ୍ୱାଡ ଗିରଫ କରିଛି। ଏହି ମାମଲାରେ ଯାଜପୁର ଜିଲ୍ଲା ଯଖପୁରା ଥାନାର କନେଷ୍ଟବଳ ସୁଶାନ୍ତ ଦଳେଇ ଓ ଅରବିନ୍ଦ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। ସେଦୁହେଁ ସୁବାସ ମାଝୀଙ୍କ ଭାଇ ବୋଲି ସୂଚନା ମିଳିଛି। ଏହି ତିନିଜଣ ମିଶି ନକଲି ମଦ ପ୍ରସ୍ତୁତ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନ ବ୍ଲକ ଅନ୍ତର୍ଗତ ଏକତାଳିର ବିଜେଡି ନେତା ସୁବାସ ମାଝୀଙ୍କର ନକଲି ମଦ କାରଖାନା ଚାଲୁଥିବାର ଖବର ପାଇ ଢେଙ୍କାନାଳ ଜିଲ୍ଲାପାଳ ଚଢ଼ାଉ ଲାଗି ନିର୍ଦେଶ ଦେଇଥିଲେ। ଏହାପରେ ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦେଶରେ ୨ ତାରିଖ ମଧ୍ୟରାତିରେ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ ଗଁଦିଆ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଚଢ଼ାଉ କରିଥିଲେ। ଏଥିରୁ ଖସି ପାରିନଥିଲେ ବିଜେଡି ନେତା ସୁବାସ ମାଝୀ।। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ, ମଦ ପ୍ୟାକିଙ୍ଗ ମେସିନ, ତାରମେଲ୍ ଟିପି ଷ୍ଟିକର ଆଦି ଜବତ କରାଯାଇଛି। ଢେଙ୍କାନାଳ ଡେପୁଟି ସୁପରଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିଲା। ୩ ଅଭିଯୁକ୍ତଙ୍କୁ ଢେଙ୍କାନାଳ ନିଆଯାଇଛି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।