ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି ଭାରତର ଷ୍ଟାର ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତ। ଡେରାଡୁନସ୍ଥିତ ମାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି, କିନ୍ତୁ ଏବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ। ‘ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍'(ଡିଡିସିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଡିଡିସିଏର ଡାଇରେକ୍ଟର ଶ୍ୟାମ ଶର୍ମା ଏହାର ସୂଚନା ଦେଇଛନ୍ତି।
ଏନେଇ ଗଣମାଧ୍ୟମକୁ ଶର୍ମା କହିଛନ୍ତି ଯେ, ମୁଁ ତାଙ୍କ ମାଆଙ୍କ ସହିତ ଯୋଗାଯୋଗ ରଖିଛି। ଛିଡ଼ି ଯାଇଥିବା ତାଙ୍କ ଲିଗାମେଣ୍ଟର ଉନ୍ନତ ଚିକିତ୍ସା ନିମନ୍ତେ ଆମେ ପନ୍ତ୍ଙ୍କୁ ମୁମ୍ବାଇ ସ୍ଥାନାନ୍ତର କରିବୁ।
ତେବେ ଗତ ସପ୍ତାହରେ ଜାରି କରିଥିବା ବିବୃତିରେ ‘ବିସିସିଆଇ’ ମଧ୍ୟ କହିଥିଲା ଯେ, ପନ୍ତ୍ଙ୍କ କପାଳରେ ୨ଟି କ୍ଷତ ହୋଇଛି। ତାଙ୍କ ଡାହାଣ ଆଣ୍ଠୁରେ ସ୍ନାୟୁତନ୍ତ୍ରୀ କ୍ଷତାକ୍ତ ହୋଇଛି। ଏହାଛଡ଼ା, ତାଙ୍କର ଡାହଣ ହାତ ମଣିବନ୍ଧ, ଗୋଡ଼ ବଳାଗଣ୍ଠି ଓ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି। ତାଙ୍କ ପିଠି ମଧ୍ୟ ରାମ୍ପି ହୋଇ କ୍ଷତାକ୍ତ ହୋଇଛି।
ଉଲ୍ଲେଖନୀୟ ଯେ, ଗତ ୩୦ ଡିସେମ୍ବରରେ ସଡକ ଦୁର୍ଘଟଣାର ଶିକାର ହେବାପରେ ବାମହାତୀ ଓ୍ବିକେଟକିପର ବ୍ୟାଟସମ୍ୟାନ୍ ଡେରାଡୁନ୍ର ମାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରାୟ ୫ ଦିନ ହେବ ପନ୍ତ ସେଠାରେ ଚିକିତ୍ସା ହେବାପରେ ମୁମ୍ବାଇକୁ ସିଫ୍ଟ କରାଯାଉଛି। ମୁମ୍ବାଇରେ ପନ୍ତଙ୍କର ଅଧିକ ଉନ୍ନତମାନର ଚିକିତ୍ସା କରାଯିବ।
ଦୁର୍ଘଟଣା ପରେ ବିଶେଷ କରି ପନ୍ତଙ୍କ ଗୋଡରେ ଅଧିକ ଆଘାତ ଲାଗିଛି। ତାଙ୍କର ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ଏକ ହସ୍ପିଟାଲକୁ ପଠାଯିବାର ଯୋଜନା କରାଯାଉଛି। କୁହାଯାଉଛି ଯେ, ପନ୍ତଙ୍କୁ ଠିକ୍ ହେବାକୁ ଅତି କମରେ ୩ ମାସ ସମୟ ଲାଗିପାରେ। ପନ୍ତଙ୍କ ଆଇପିଏଲ ୨୦୨୩ ଖେଳିବା ପ୍ରାୟ ଏକପ୍ରକାର ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇସାରିଛି। ଏହାଛଡା ଅଷ୍ଟେ୍ରଲିଆ, ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜରେ ମଧ୍ୟ ଖେଳିପାରିବେନି।





