ଚଳିତ ମାସରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୧୨ ଚିତା

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଚଳିତ ଜାନୁୟାରୀ ମାସରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାକୁ ଭାରତ ଅଣାଯିବ । ଆଜି ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୁତ୍ରରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରୁ ଦ୍ଵିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଆଣିବା ଲାଗି ଯୋଜନା ହୋଇଛି । ସେଥିରୁ ୭ଟି ଅଣ୍ଡିରା ଓ ୫ଟି ମାଈ । ତେବେ ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ନାମ୍ବିଆରୁ ୮ଟି ଚିତା ଅଣାଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ଏହି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ । ପୂର୍ବରୁ ଅଣାଯାଇଥିବା ଚିତାଙ୍କୁ ମଧ୍ୟ କୁନୋରେ ଛଡାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୨ତମ ଜନ୍ମଦିନରେ ସେପ୍ଟେମ୍ବର ୧୭ ତାରିଖରେ ଏହି ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଭାରତରେ ୭୦ ବର୍ଷ ପୂର୍ବରୁ ଚିତା ଲୋପ ପାଇଥିଲା ବେଳେ ପୁଣିଥରେ ସେମାନଙ୍କ ବଂଶ ବିସ୍ତାର କରିବା ଲାଗି କେନ୍ଦ୍ର ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି । ଏଥିପାଇଁ ଗତବର୍ଷ ଜୁଲାଇ ୨୦ରେ ନାମ୍ବିଆ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ପ୍ରୋଜେକ୍ଟ ଟାଇଗର ଅଧିନରେ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ଏଥିପାଇଁ ୩୮.୭୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି ।

Related Posts