ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ମହିଳା ପୁଲିସ ଏସଆଇ ଶୁଭଶ୍ରୀ ନାୟକଙ୍କୁ ଖଣ୍ଡ ଧରି ଗୋଡାଇବା ଘଟଣାରେ କମିସନରେଟ୍ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୁନା ଚନ୍ଦ୍ର ସାହୁ (୨୩), ପ୍ରଦୀପ ବେହେରା(୩୫) ଓ ଅରବିନ୍ଦ ମହାକୁଡ଼(୨୮)। ଏଥିସହ ଘଟଣା ଦିନ ବ୍ୟବହୃତ ହୋଇଥିବା ଇନୋଭା କାର୍ ମଧ୍ୟ ଜବତ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ, ନୂଆବର୍ଷ ରାତିରେ ମହିଳା ଥାନା ପୁଲିସ୍ ଏସ୍ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି ନିଜ କାରରେ ଘରକୁ ଫେରୁଥିଲେ।ଆଚାର୍ଯ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍ ତାଙ୍କ କାର୍ ସାମ୍ନାକୁ ମାଡ଼ିଆସିଥିଲା। କାର୍ଟି ଅଚାନକ ତାଙ୍କ ଆଗକୁ ମାଡ଼ିଆସିବାରୁ ଭୟରେ ନିଜ କାର୍କୁ ରାସ୍ତା କଡ଼କୁ ନେଇଯାଇଥିଲେ। ଯଦିଓ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ ତଥାପି ତାଙ୍କ ମନରୁ ଭୟ ଯାଇନଥିଲା। କିଛି ସମୟ ପାଇଁ ସେ ଗାଡ଼ିରେ ବସି ରହିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ। କାର୍ରେ ବସିବେ କ’ଣ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ଭୟରେ ସେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଆଡ଼କୁ କାର୍ ନେଇଯାଇଥିଲେ।
ଦୁର୍ବୃତ୍ତ ଏତିକିରେ ଅଟକି ନଥିଲେ। ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳି ଆଡ଼କୁ ଯାଇଥିଲେ। ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ କେସ୍ ନଂ- ୩/୨୦୨୩ ଆଇପିସି ଧାରା ୩୪୧, ୨୯୪, ୫୦୬, ୩୪ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଖପାଖ ସିସିଟିଭି ଫୁଟେଜ୍ ଯାଞ୍ଚ କରି କେତେକଙ୍କୁ ଚିହ୍ନଟ କରିଥିଲା। ତେବେ ବୁଧବାର ସନ୍ଧ୍ୟାରେ ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ଜଣଙ୍କୁ କାବୁ କରିବା ସହ କାର୍ ଜବତ କରିଥିଲା।
