ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ଅନ୍ତର୍ଗତ ରତ୍ଲାମ ସହରର ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ଜେଲ୍ରୁ ନିର୍ଦ୍ଦୋଷରେ ମୁକୁଳିବା ପରେ ସରକାରଙ୍କ ନିକଟରେ ଅଜବ ଦାବି ରଖିଛନ୍ତି । ବିନା ଦୋଷରେ ୬୬୬ ଦିନ ଜେଲ୍ରେ କାଟିବା ଯୋଗୁ ସେ ଯୌନସୁଖରୁ ବଞ୍ଚିତ ହୋଇଥିବା କହିଛନ୍ତି । ଯୌନସୁଖକୁ ‘ଈଶ୍ୱରଙ୍କ ବରଦାନ’ ଦର୍ଶାଇ ୬୬୬ ଦିନ ଏଥିରୁ ବଞ୍ଚିତ ଥିବାରୁ ଏହାର କ୍ଷତିଭରଣା ପାଇଁ ସେ ରାଜ୍ୟ ସରକାରଙ୍କଠାରୁ ୧୦ ହଜାର କୋଟି ଟଙ୍କା ଦାବି କରିଛନ୍ତି ।ଏଥିପାଇଁ ସେ ଅଦାଲତଙ୍କ ଦ୍ୱାରସ୍ଥ ବି ହୋଇଛନ୍ତି । ଏହି ଘଟଣା ଏବେ ମଧ୍ୟପ୍ରଦେଶ ସମେତ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ୩୫ ବର୍ଷୀୟ କାନ୍ତୁ ଓରଫ୍ କାନ୍ତିଲାଲ ଭିଲ୍ ୨୦୧୮ ଜାନୁଆରୀରେ ଏକ ଗଣବଳାତ୍କାର ମାମଲାର ଅଭିଯୁକ୍ତ ଥିଲେ । ତାଙ୍କୁ ପୁଲିସ ଗିରଫ କରିବା ପରେ ୨ ବର୍ଷରୁ ଊଦ୍ଧ୍ୱର୍ ସମୟ ସେ ଜେଲ୍ରେ କାଟିଥିଲେ । ଗତ ଅକ୍ଟୋବର ୧୦ରେ ସ୍ଥାନୀୟ ସେସନ୍ସ କୋର୍ଟରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । କାନ୍ତୁ କହିଛନ୍ତି, ମିଥ୍ୟା ମାମଲାରେ ତାଙ୍କୁ ଫସାଯାଇଥିବା ଯୋଗୁ ସେ ଉଭୟ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଭୋଗିଛନ୍ତି । ଏଥିପାଇଁ ତାଙ୍କୁ ସ୍ତ୍ରୀ, ପିଲା ଓ ପରିବାରଠାରୁ ୨ ବର୍ଷ କାଳ ଦୂରରେ ରହିବାକୁ ପଡ଼ିଛି । ପରିବାର ଲୋକେ ଅନେକ ମାନସିକ ଯନ୍ତ୍ରଣାରେ କାଳାତିପାତ କରିଛନ୍ତି । ଘରେ ଆଉ କେହି ରୋଜଗାରିଆ ବ୍ୟକ୍ତି ନ ଥିବାରୁ ପରିବାରର ୬ ସଦସ୍ୟ ଖାଦ୍ୟ, ପୋଷାକ ଭଳି ମୌଳିକ ସୁବିଧା ପାଇପାରି ନାହାନ୍ତି ।
କାନ୍ତୁ ନିଜ ଯୁକ୍ତିରେ ଆହୁରି କହିଛନ୍ତି ଯେ ତାଙ୍କ ଓକିଲ ମାଗଣାରେ ମାମଲା ଲଢ଼ିଛନ୍ତି । ଏବେ ସେ ଓକିଲଙ୍କୁ ତାଙ୍କ ପାଉଣା ଦେବାକୁ ଚାହୁଁଛନ୍ତି। ଏହାବାଦ୍ ବେପାରରେ କ୍ଷତି, ସମ୍ମାନ ହାନି, ଶାରୀରିକ ଓ ମାନସିକ ଯନ୍ତ୍ରଣା, ପରିବାରରେ ନାନା ପ୍ରକାର ଅସୁବିଧା, ପିଲାଙ୍କ ଶିକ୍ଷା ଓ କ୍ୟାରିୟର ଗଠନରେ ବାଧା ଲାଗି ୬ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସେ କହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଜେଲରେ ୬୬୬ ଦିନ ରହିବା କାରଣରୁ ସେ ପତ୍ନୀଙ୍କଠାରୁ ଦୂରରେ ରହିଥିଲେ । ଏହାଯୋଗୁ ‘ଈଶ୍ୱରଙ୍କ ବରଦାନ’ ଯୌନସୁଖ ପାଇବାରୁ ସେ ବଞ୍ଚିତ ହୋଇଥିଲେ । ଏଥିପାଇଁ ୧୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦିଆଯିବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ସବୁକୁ ମିଶାଇ କାନ୍ତୁ ମୋଟ ୧୦,୦୦୬ କୋଟି ଟଙ୍କା କ୍ଷତିପୂରଣ ପାଇବା ଲାଗି ଜିଲ୍ଲା ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ ।





