ଗଣମାଧ୍ୟମ ମୋ ଟି-ସାର୍ଟକୁ ନେଇ ଚର୍ଚ୍ଚା କରୁଛି, ହେଲେ ଗରିବଙ୍କ ଫଟା-ଚିରା ପୋଷାକକୁ ତାଙ୍କ ଦୃଷ୍ଟି ଯାଉନାହିଁ: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଭାରତ ଯୋଡା ଯାତ୍ରା ଏବେ ଉତ୍ତର ଭାରତରେ ଚାଲିଛି। ଏହି ସମୟରେ ଉତ୍ତର ଭାରତରେ ଅସମ୍ଭାଳ ଶୀତ ଅନୁଭୂତ ହେଉଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି କେବଳ ଟି-ସାର୍ଟ ପିନ୍ଧି ପଦଯାତ୍ରା କରୁଥିବା ନଜର ଆସୁଛନ୍ତି। ତେବେ ରାହୁଲଙ୍କ ଏହି ଟି-ସାର୍ଟ ଅବତାରକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ଗଣମାଧ୍ୟମ କେବଳ ତାଙ୍କ ଟି-ସାର୍ଟକୁ ନେଇ ଚର୍ଚ୍ଚା କରୁଛି। କିନ୍ତୁ ଗରିବ କୃଷକ ଏବଂ ଶ୍ରମିକ ପିନ୍ଧୁଥିବା ଫଟା-ଚିରା ପୋଷାକ ବିଷୟରେ ପଚାରୁ ନାହିଁ।

ସେ କହିଛନ୍ତି ଯେ, ମୁଁ ଟି-ସାର୍ଟ ପିନ୍ଧି ଭାରତ ଯୋଡୋ ଯାତ୍ରାରେ ଚାଲୁଛି। ମୋ ସହିତ ଅନେକ ଗରିବ କୃଷକ ଏବଂ ଶ୍ରମିକମାନଙ୍କର ଅନେକ ପିଲା ଚିରା-ଫଟା ପୋଷାକ ପିନ୍ଧି ଚାଲୁଛନ୍ତି। କିନ୍ତୁ ସେମାନଙ୍କ ପ୍ରତି ଗଣମାଧ୍ୟମର ଦୃଷ୍ଟି ଯାଉ ନାହିଁ। ଗଣମାଧ୍ୟମ ପଚାରୁ ନାହିଁ ଯେ, ଗରିବ କୃଷକ ଏବଂ ଶ୍ରମିକଙ୍କ ପିଲାମାନେ ଶୀତ ଦିନେ ସ୍ୱିଟର କିମ୍ବା ଜ୍ୟାକେଟ ବିନା କାହିଁକି ବୁଲୁଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ, ୧୧୦ ଦିନରେ ୩୦୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିଥିଲେ ମଧ୍ୟ ସେ ଥକି ପଡ଼ି ନାହାନ୍ତି କି ଶୀତରେ ଟି-ସାର୍ଟରେ କଷ୍ଟ ଅନୁଭବ କରିନାହାନ୍ତି।

ସେହିପରି ଭାରତ ଯୋଡ଼ୋ ଯାତ୍ରା’ ଅବସରରେ ରାହୁଲ ପୁଣି ସେନାର ‘ଅଗ୍ନିପଥ’ ଯୋଜନାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚାକିରିକାଳ ୪ ବର୍ଷକୁ ସୀମିତ କରି ମୋଦୀ ସରକାର ସେନା କର୍ମଚାରୀଙ୍କ ପେନ୍‌ସନ୍‌ ନେଇ ଯାଇଛି। ବାରୌତ୍‌ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବକମାନେ ଏହି କାର୍ଯ୍ୟକ୍ରମ ବିରୋଧରେ ପ୍ରତିବାଦ କରିବାରୁ ‘ବିଜେପି’ କହିଲା ଯେ, ପ୍ରତିବାଦ କରୁଥିବା ବେଳେ ଯେଉଁମାନେ ଧରାପଡ଼ିବେ ଭବିଷ୍ୟତରେ ସେମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ‌ନାହିଁ।

ରାହୁଲ୍‌ ଗାନ୍ଧୀ କହିଛନ୍ତି, ପୂର୍ବରୁ ଯୁବକମାନେ ସେନାରେ ୧୫ ବର୍ଷ ଚାକିରି କରି ପେନ୍‌ସନ୍‌ ପାଉଥିଲେ। କିନ୍ତୁ, ନରେନ୍ଦ୍ର ମୋଦି ପେନ୍‌ସନ୍‌ ନ ଦେବାକୁ ବିଚାର କଲେ। ତେଣୁ ଯୁବକମାନଙ୍କୁ ୬ ମାସ ତାଲିମ ଦେଇ ବନ୍ଧୁକ ଧରାଇ ୪ ବର୍ଷ ରଖିବେ ଓ ଛଟେଇ କରିଦେବେ। ତା’ପରେ ଆପଣ ବେକାର ହୋଇଯିବେ। ଏହା ହିଁ ନବ ଭାରତ ବୋଲି ରାହୁଲ କହିଛନ୍ତି।

Related Posts