ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ତିହାର ଜେଲ୍ରେ ଥିବା ଦିଲ୍ଲୀ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଜେଲ କର୍ମଚାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଜେଲରୁ ବାହାରିଲେ ସମସ୍ତଙ୍କୁ ଦେଖିନେବି। କାହାକୁ ଛାଡ଼ିବିନି ବୋଲି ମନ୍ତ୍ରୀ କହିଥିବା ଅଭିଯୋଗ କରି ଥାନାରେ ମାମଲା ହୋଇଛି।
ତିହାର ଜେଲ୍ ଆଇଜି, ଜେଲ ସୁପରଟେଣ୍ଡ (ଏସ୍ସିଜେ-୭), ତିହାର ଡେପୁଟି ସୁପରିଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଏବଂ ଲ ଅଫିସର ଜିଡିଙ୍କୁ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ତାଙ୍କୁ ଗାଳି ଦେଉଛନ୍ତି ଓ ପରିଣତି ଭୟଙ୍କର ହେବ ବୋଲି ଧମକାଉଥିବା ସେମାନେ ଡିଜିଙ୍କ ପାଖରେ ଅଭିଯୋଗ କରିଛନ୍ତି।
ଆସିଷ୍ଟାଣ୍ଟ ଜେଲ୍ ସୁପରିଟେଣ୍ଡ ଜୟଦୈବ ଏବଂ ଡେପୁଟି ଜେଲ ସୁପରିଟେଣ୍ଡ ପ୍ରବୀଣ କୁମାର ଡିସେମ୍ବର ୮ ତାରିଖରେ ଅଭିଯୋଗ କରିଥିଲେ। ଯେତେବେଳେ ସେ ମନ୍ତ୍ରୀଙ୍କୁ କାରଣ ଦର୍ଶଅ ନୋଟିସ ଜାରି କରିଥିଲେ ସେତେବେଳେ ମନ୍ତ୍ରୀ ତାଙ୍କୁ ଧମକାଇଥିଲେ। ମନ୍ତ୍ରୀ କହିଥିଲେ ଯେ ମୁଁ ଜାଣିଛି ଏସବୁ ଲ ଅଫିସରଙ୍କ ଦ୍ୱାରା ହେଉଛି। ମୁଁ ଥରେ ଜେଲ୍ରୁ ବାହାରିଲେ, ସିସିଟିଭି ଫୁଟେଜ୍ ଚେକ୍ କରି ଏସ୍ସିଜେ-୭ ରାଜେଶ ଚୌଧୁରୀଙ୍କୁ ଛାଡ଼ିବିନି। କେମିତି ଚାକିରି କରାଯାଏ ତାଙ୍କୁ ଶିଖାଇବି ବୋଲି ଜୈନ୍ କହିଛନ୍ତି ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ମନି ଲଣ୍ଡରିଂ ମାମଲାରେ ସତୈନ୍ଦ୍ର ଜୈନଙ୍କୁ ଗତବର୍ଷ ମେ ୩୧ ତାରିଖରେ ଇଡି ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି ଓ ବିଭିନ୍ନ ଘଟଣାକୁ ନେଇ ବିବାଦରେ ରହି ଆସୁଛନ୍ତି।





