ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଏବେ ଶୀତଲହରି ଜାରି ରହିଛି । ସମଗ୍ର ଉତ୍ତର ଭାରତରେ ପାରଦ ୪ ଡିଗ୍ରୀ ତଳେ ରହିଥିବା ବେଳେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି, ଯାହାକି ଚଳିତ ବର୍ଷର ସବୁଠୁ କମ୍ । ଏହା ଭିତରେ ପାଣିପାଗ ବିଭାଗ ପକ୍ଷରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଆସିଛି । ୨୦୨୨ ମସିହାର ଡିସେମ୍ବର ମାସ ବିଗତ ୧୨୨ ବର୍ଷର ରେକର୍ଡ ଭାଙ୍ଗି ସବୁଠୁ ଗରମ ଡିସେମ୍ବର ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି ।
ଆଇଏମ୍ଡି ତଥ୍ୟ ଅନୁସାରେ ଗତ ଡିସେମ୍ବରରେ ଦେଶରେ ହାରାହାରି ତାପମାତ୍ରା ୨୧.୪୯ ଡିଗ୍ରୀ ସେଲ୍ସିୟସ୍ ରହିଥିଲା, ଯାହାକି ୧୨୨ ବର୍ଷ ପରେ ସର୍ବାଧିକ । ଏହା ପୂର୍ବରୁ ୨୦୦୮ ଡିସେମ୍ବରରେ ଏହା ୨୧.୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଇଏମ୍ଡି ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଅନୁସାରେ, ଦେଶର ପୂର୍ବ, ଉତ୍ତର- ପୂର୍ବାଞ୍ଚଳ ସମେତ କେନ୍ଦ୍ରୀୟ ଭାଗର ଅଳ୍ପ କେତେକ ଅଞ୍ଚଳରେ ଗତ ବର୍ଷ ତାପମାତ୍ରା ସାମାନ୍ୟ ଅଧିକ ରହିଥିଲା । ଏଥିଯୋଗୁ ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ଗତ ଡିସେମ୍ବରରେ ଭାରତ ସବୁଠୁ ଉତ୍ତପ୍ତ ମାସ ଭାବେ ରେକର୍ଡ ହୋଇଛି । ମଧ୍ୟ ଭାରତରେ ବି ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ତାପମାତ୍ରା ଅଧିକ ରହିଥିଲା । ମହାରାଷ୍ଟ୍ର କଥା ଦେଖିଲେ ଗତ ଡିସେମ୍ବର ଯେପରି ଥଣ୍ଡା ପଡ଼ିବା କଥା ତାହା ହୋଇ ନ ଥିଲା । ମଧ୍ୟପ୍ରଦେଶ, ତେଲଙ୍ଗାନା ଭଳି ଅନ୍ୟ ରାଜ୍ୟଗୁଡ଼ିକରେ ଡିସେମ୍ବର ୧ରୁ ୨୦ ତାରିଖ ମଧ୍ୟରେ ତାପମାତ୍ରା ସାମାନ୍ୟ କମିଥିଲା । କିନ୍ତୁ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲ୍ସିୟସ ତଳକୁ ଖସି ନ ଥିଲା । ଚଳିତ ଥର ବହୁ ଡେରିରେ ଦେଶକୁ ଶୀତ ଲହର ଆସିଥିଲା । ଉତ୍ତର ଓ ଦେଶର ମଧ୍ୟ ଭାଗରେ ୧୫ ଡିସେମ୍ବର ପର୍ଯ୍ୟନ୍ତ ବି ଶୀତଲହର କିମ୍ବା କୁହୁଡ଼ି ଦେଖିବାକୁ ମିଳି ନ ଥିଲା । ୧୮ ଡିସେମ୍ବର ପରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଏବଂ ଉତ୍ତର ରାଜସ୍ଥାନରେ ଶୀତଲହର ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି । ଗତ ଡିସେମ୍ବରରେ ଦେଶସାରା ରେକର୍ଡ ହୋଇଥିବା ହାରାହାରି ତାପମାତ୍ରା ୨୦୧୬ ମସିହାଠାରୁ ଅଧିକ ରହିଥିଲା ।
ସେହିଭଳି ଡିସେମ୍ବର ଶେଷ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତରେ କୌଣସି ଶୀତ ଲହରି କିମ୍ବା ଥଣ୍ଡାର ସ୍ଥିତି ନ ଥିଲା । ତାର କାରଣ ଥିଲା ସେହି ସମୟରେ କୌଣସି ଦୃଢ଼ ପଶ୍ଚିମା ଝଡ ଉତ୍ତର- ପଶ୍ଚିମ କ୍ଷେତ୍ରକୁ ପ୍ରଭାବିତ କରିନଥିଲା । ଯାହାକି ମୁଖ୍ୟ ରୂପରେ ଥଣ୍ଡା ସମୟରେ ତାପମାତ୍ରା ହ୍ରାସ କରିବାରେ ପ୍ରମୁଖ ଭୂମିକା ଗହଣ କରିଥାଏ । ଏହି କାରଣରୁ ପୂରା ମାସ ସାରା ତାପମାତ୍ରା ସ୍ୱାଭାବିକ ଠାରୁ ଉଦ୍ଧ୍ୱର୍ରେ ରହିଥିଲା । ଏହାବ୍ୟତୀତ ତାମିଲନାଡୁ ଓ କେରଳରେ ବର୍ଷା ମଧ୍ୟ ହେଉଥିଲା । ଦେଶର ଅଧିକାଂଶ ଭାଗରେ କମ୍ ବର୍ଷା ହୋଇଥିଲା । ଫଳରେ ଦିନ ତାପମାତ୍ରା ସ୍ୱାଭାବିକ ଥିଲା । ବିଶେଷଜ୍ଞଙ୍କ କହିବାନୁଯାୟୀ ଲା ନିନା ବର୍ଷରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ନିଶ୍ଚିତ ଭାବେ ଅସ୍ୱାଭାବିକ ପ୍ରକ୍ରିୟା । ଜଳବାୟୁ ପରିବର୍ତ୍ତନର ପ୍ରଭାବ ତାପମାତ୍ରା ବୃଦ୍ଧି ଉପରେ ପଡିଛି । ଲା ନିନା ବର୍ଷରେ ରେକର୍ଡ ତାପମାତ୍ରା ଆମେ ଅନୁଭବ କରୁଛୁ । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । କିଛିଦିନ ତଳେ ଆମେରିକାରେ ହିମଝଡ଼ ଯୋଗୁ ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏଥିରେ ୬୦ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଛି ।
ଆଇଏମ୍ଡି ପୁଣେ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଓ.ପି ଶ୍ରୀଜିତଙ୍କ କହିବାନୁଯାୟୀ ୨୦୨୨ ଥିଲା ଲା ନିନା ବର୍ଷ । କିନ୍ତୁ ଏହି ବର୍ଷରେ ସମଗ୍ର ୟୁରୋପ ଗ୍ରୀଷ୍ଣ ପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡିଥିଲା । ଆମର ଡିସେମ୍ବର ତଥ୍ୟ ମଧ୍ୟ ଏକଥା ଦର୍ଶାଉଛି । ବିଶ୍ୱ ତାପନ ମଧ୍ୟ ଲା ନିନାର ପ୍ରଭାବକୁ ଦୁର୍ବଳ କରିଦେଇଛି । ଡିସେମ୍ବରରେ ତାପମାତ୍ରାରେ ବୃଦ୍ଧି କାହିଁକି ଘଟିଲା ଏବଂ ସମଗ୍ର ରେକର୍ଡକୁ ଜଳବାୟୁ ପରିବର୍ତ୍ତନ ସହ ଯୋଡି ତାହା ଉପରେ ଆମକୁ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।





