ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡାଣ ।ଭିଡ଼ିଓ କନଫରେନ୍ସ ଜରିଆରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ଉଦଘାଟନ କରିଥିବା ବେଳେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତେବେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନ ରହିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଏହାର ଜବାବ୍ ମଧ୍ୟ ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଆମର ଦଳ ଅଲଗା ହୋଇଥିବାରୁ ରାଜନୈତିକ ଦ୍ୱନ୍ଦ୍ୱ ରହିବ । କିନ୍ତ ରାଜ୍ୟ ସ୍ୱାର୍ଥ କଥା ଉଠିଲେ ଏକାଠି ହେବା ଦରକାର । ବାର୍ଲିରେ ଥିବାବେଳେ ପ୍ରଧାନମନ୍ତ୍ରୀ ବାଲିଯାତ୍ରା କଥା ଉଠାଇଥିଲେ । ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଉଠାଇଲେ । କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେନି। ଆଜି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲେ ଭଲ ହୋଇଥାନ୍ତା । ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଭଲ ହୋଇଥାନ୍ତା।’

ତେବେ ଏହି ଘଟଣାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ନୂଆ ବର୍ଷରେ ଓଡିଶାବାସୀଙ୍କୁ ଏହା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ୨୦୧୪ ମସିହା ୨୬ ମେ ମାସରେ ଦେଶର କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ଇଚ୍ଛା ଥିଲା ଯେ, ଦେଶର ପ୍ରତ୍ୟେକ ନାଗରିକ ବିମାନରେ ଯାତ୍ରା କରନ୍ତୁ । ଆଜି ସେହି ସ୍କିମରେ ଭୁବନେଶ୍ଵର ରାଉରକେଲା ବିମାନ ଉଡାଣ ଆରମ୍ଭ ହୋଇଛି। ତେବେ ମନରେ ଦୁଃଖ ହେଉଛି, ଆଜି ଖବରକାଗଜ ଓ ବଡ ବଡ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଅଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ । ମୁଖ୍ୟମନ୍ତ୍ରୀ, ସେମାନଙ୍କ ପରାମର୍ଶଦାତା, ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଚାହେଁ, ଏହି ଫ୍ଲାଇଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ୧୦୦ ପ୍ରତିଶତ ଅବଦାନ ରହିଛି । ୧୦୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ଯୋଗାଇଛନ୍ତି । କିନ୍ତୁ କୌଣସି ହୋର୍ଡିଂ ଓ ଖବରକାଗଜରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କଣ ପାଇଁ ନାହିଁ ? ଆଶ୍ଚର୍ଯ୍ୟର କଥା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ କାହା ମୁହଁରୁ ଶବ୍ଦଟିଏ ବି ବାହାରିଲାନି । ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅପେକ୍ଷା ରଖୁଛୁ, ଏହି ବିମାନ ଉଡାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ । ୩ କୋଟି ୨୫ ଲକ୍ଷ ଓଡ଼ିଆ ଲୋକଙ୍କୁ ମାଗଣାରେ ଚାଉଳ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ ।’

ଏହାର ପ୍ରତିଉତ୍ତର ଦେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ‘ବିରୋଧୀଙ୍କ କାମ ହେଲା ଅଭିଯୋଗ କରିବା । ବିରୋଧୀ ସବୁବେଳେ ବିଭିନ୍ନ ପ୍ରକାର ଅଭିଯୋଗ କରନ୍ତି । ଆଜି ୨୨ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଉନ୍ନତି ପରେ ଉନ୍ନତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପାଇଁ କାମ କରୁଛନ୍ତି।’