ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍। ଏହା ପୂର୍ବରୁ ୧୧ ତାରିଖ ଦିନ କଟକର ବାରବାଟି ଷ୍ଟାଡିୟମରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ପାଳନ ହେବ। ବାରବାଟି ଷ୍ଟାଡିୟମରେ ଏହି ଉତ୍ସବରେ ପ୍ରାୟ ୪୦ ହଜାର ଦର୍ଶକ ଉପସ୍ଥିତ ରହିବେ। ଏହା ପୂର୍ବରୁ ବିଶ୍ୱକପ୍ ଟ୍ରଫି ପ୍ରଥମେ କଟକରେ ପହଞ୍ଚିବ। ୧୧ ତାରିଖ ଦିନ ଏହି ଟ୍ରଫି ସହର ପରିକ୍ରମା କରିବା ପରେ ବାରବାଟି ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ପାଳନ ହେବ।
ତେବେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ନେଇ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହିଦିନ ସହରରେ ମୁୟତନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୨୦୦ ଅଫିସର । ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟାଡିୟମ ଭିତର ଓ ବାହାର ସୁରକ୍ଷା ଦାୟିତ୍ବରେ ରହିବେ ପୋଲିସ ଅଧିକାରୀ। ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଦିନ ୨ ଟାରେ ସାଧାରଣ ଦର୍ଶକ ଷ୍ଟାଡିୟମକୁ ପ୍ରବେଶ କରିପାରିବେ। ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ପାଣି ବୋତଲ ଓ ଖାଦ୍ୟ ସାମଗ୍ରୀ ନେଇ ପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍ । ଯାହା ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ । ମୋଟ ୧୬ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ବିଶ୍ୱକପର ସମସ୍ତ ମ୍ୟାଚ୍ ଭୁବନେଶ୍ୱର ଏବଂ ରାଉରକେଲାରେ ହେବ ।
