ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ସାକ୍ଷୀଗୋପାଳ ସ୍ଥିତ ଶ୍ରୀ ଗୋପାଳ ଜୀଉଙ୍କ ମନ୍ଦିର ପଶ୍ଚିମ ପାର୍ଶ୍ଵ ରାସ୍ତାରେ ସୋମବାର ଏକ ବସ ନିଆଁ ଲାଗି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶରୁ ଗଙ୍ଗା ସାଗର ତୀର୍ଥଯାତ୍ରୀ ନେଇ ସାକ୍ଷୀଗୋପାଳ ଆସିଥିବା ବସ (ନଂ ୟୁପି୭୫ଏପି ୧୭୭୬) ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ରହିଥିଲା l ଅପରାହ୍ନ ସାଢ଼େ ୨ ଟା ସମୟରେ ହଠାତ ବସଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା l କିଛି ତୀର୍ଥଯାତ୍ରୀ ବସ ନିକଟରେ ଭୋଜନ କରୁଥିଲେ l ଆଉ କିଛି ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ l ସାକ୍ଷୀଗୋପାଳରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ l ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି l ପ୍ରାୟ ୫୦ ଜଣ ତୀର୍ଥ ଯାତ୍ରୀ ଏହି ବସରେ ଆସିଥିଲେ l ତୀର୍ଥ ଯାତ୍ରୀ ମାନଙ୍କରେ ସମସ୍ତ ଆସବାବପତ୍ର ଓ ଟଙ୍କା ପଇସା ଭସ୍ମୀଭୂତ ହୋଇ ଯାଇଛି l ବ୍ୟାଟେରୀ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି l
