‘ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଆଧୁନିକ ଭାରତର ସ୍ୱାମୀ ବିବେକାନନ୍ଦ’: ବିଜେପି ସାଂସଦ ସୌମିତ୍ର ଖାନ

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଆଧୁନିକ ଭାରତର ସ୍ୱାମୀ ବିବେକାନନ୍ଦ ବୋଲି ସେ କହିଛନ୍ତି। ଗୁରୁବାର ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ଅବସରରେ ବାଙ୍କୁରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ସୌମିତ୍ର ଯୋଗ ଦେଇଥିଲେ।

ଏହି ସମୟରେ ସେ କହିଛନ୍ତି ଯେ, “ସ୍ୱାମୀଜୀ ନୂଆ ରୂପରେ ପୁନର୍ଜନ୍ମ ନେଇଛନ୍ତି। ତାଙ୍କ ନୂଆ ରୂପ ହେଉଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ ମାନଙ୍କ ପାଇଁ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଭଗବାନ ସଦୃଶ। ମା’ଙ୍କ ମୃତ୍ୟୁ ସତ୍ତ୍ୱେ ଆଜିକା ଦିନରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି, ମୁଁ ଭାବୁଛି ସେ ହେଉଛନ୍ତି ଆଧୁନିକ ଭାରତର ସ୍ୱାମୀଜୀଙ୍କ ନୂଆ ରୂପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଓ ଦେଶବାସୀଙ୍କ ସେବା କିପରି କରୁଛନ୍ତି ଥରେ ଦେଖନ୍ତୁ। ଏହାକୁ ଦେଖିଲା ପରେ ଆମେ କହିପାରିବା ଯେ ସେ ଆଧୁନିକ ଭାରତର ସ୍ୱାମୀ ବିବେକାନନ୍ଦ।”

ତେବେ ଏପରି ତୁଳନାତ୍ମକ ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଟିଏମସି ମନ୍ତ୍ରୀ ଓ କୋଲକାତା ମେୟର ଫିରହଦ ହାକିମ କହିଛନ୍ତି ଯେ, ସାଂସଦ ସୌମିତ୍ରଙ୍କ ବୟାନ ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ଅପମାନ। ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରା ବିଜେପିର ବିଚାରଧାରା ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି।

ତେବେ ପ୍ରଥମଥର ପାଇଁ ସ୍ୱାମୀ ବିବେକାନନ୍ଦଙ୍କୁ କୌଣସି ବିଜେପି ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନାର କରିନାହାନ୍ତି। ଏହାପୂର୍ବରୁ ବିହାର ବିଜେପି ନେତା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଧ୍ୟ ସ୍ୱାମୀ ବିବେକନାନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୂପରେ ପୁନର୍ଜନ୍ମ ନେଇଥିବା କହିଥିଲେ।

Related Posts