ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଘନ କୁହୁଡ଼ି ନେଇ ଜାରି ହୋଇଛି ସତର୍କ ସୂଚନା। ଘନ କୁହୁଡ଼ି ନେଇ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ରାତିରେ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଯଥା ୧୪ ତାରିଖରେ ସକାଳ ଓ ରାତିରେ ୭ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।। ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ଅନୁଗୋଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ସେହପରି ୧୫ ତାରିଖରେ ମଧ୍ୟ ୭ଟି ଜିଲ୍ଲାରେ ଘନ କୁହୁଡି ହେବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
କୁହୁଡ଼ି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରିବାକୁ ଏସଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେଉଥିବାରୁ ଆଗାମୀ ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ସହ ଶୀତର ପ୍ରକୋପ କମିବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଥିଲା। ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ୨୦ରୁ ୩୦ ମିଟର ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଥିଲା। କୁହୁଡ଼ି ଯୋଗୁ ଯାତାୟାତ ଓ ଗାଡ଼ି ଚଳାଚଳ ନେଇ ସମସ୍ୟା ଦେଖାଯାଇଥିଲା।
